ମହିଳା ସିଆରସିସିଙ୍କୁ ଅଶ୍ଳୀଳ ମେସେଜ ଓ ନିର୍ଯ୍ୟାତନା ଅଭିଯୋଗ: ବରଗଡ଼ DEO, BEO ଏବଂ ଖେଳ ଶିକ୍ଷକ ଗିରଫ
ଜଣେ ମହିଳା ସିଆରସିସି (CRCC) ଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ବରଗଡ଼ ଶିକ୍ଷା ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଜଣେ ଖେଳ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ (BEO) ସୁରେନ୍ଦ୍ର ସାହୁ ଏବଂ ସତଲମା ଖେଳ ଶିକ୍ଷକ ସମୀର ପାଣିଗ୍ରାହୀ।
ସୂଚନା ଅନୁସାରେ, ପୀଡ଼ିତା ମହିଳା ସିଆରସିସି ବରଗଡ଼ ଟାଉନ ଥାନାରେ ଏହି ତିନିଜଣଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଉକ୍ତ ଅଧିକାରୀ ଓ ଶିକ୍ଷକ ତାଙ୍କୁ ବିଭିନ୍ନ ସମୟରେ ଅଶ୍ଳୀଳ ମେସେଜ ପଠାଇବା ସହ କାର୍ଯ୍ୟକ୍ଷେତ୍ରରେ ଅସଦାଚରଣ ଓ ନିର୍ଯ୍ୟାତନା ଦେଇ ଆସୁଥିଲେ। ପୋଲିସ ଏହି ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା।
ଆଜି ପୋଲିସ ଉଭୟ ଶିକ୍ଷା ଅଧିକାରୀ ଓ ଖେଳ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଶିକ୍ଷା ବିଭାଗର ଶୀର୍ଷ ପଦବୀରେ ଥାଇ ଏଭଳି କାର୍ଯ୍ୟରେ ସମ୍ପୃକ୍ତି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।