*ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ*
*ଆଜନ୍ମ ଦୃଷ୍ଟିବାଧିତ ଦେବେ ୟୁ ପି ଏସ ସି ପରୀକ୍ଷା*
ଦାମନଯୋଡି: ଜଣେ ମଣିଷ ଯଦି କୌଣସି କାର୍ଯ୍ୟ କରିବା ପାଇଁ ନିଜ ମନରେ ଦୃଢ଼ ଇଚ୍ଛାଶକ୍ତି ସୃଷ୍ଟି କରି ପ୍ରୟାସ ଜାରି ରଖିଲେ ମଣିଷ ସବୁ କାର୍ଯ୍ୟରେ ସଫଳ ହୋଇପାରିବ । ଏଭଳି ଏକ ସଦ୍ୟ ଉଦାହରଣ ଦେଖାଯାଇଥିଲା ଭେଜାପୁଟ ବଜାରରେ । ସୁନାବେଡା ଡି ପି କ୍ୟାମ୍ପ ର ଶଙ୍କର ନାୟକ (ଜନ୍ମରୁ ଦୃଷ୍ଟି ବାଧିତ) ଦାମନଯୋଡି ନିଜର କିଛି କାମ ଉଦ୍ଦେଶ୍ୟରେ ଆସିଥିବା ବେଳେ ଆମ ପ୍ରତିନିଧି ତାଙ୍କ ସହିତ ସାକ୍ଷାତ କରିଥିଲେ । ବାପା ବାଳକୃଷ୍ଣ ନାୟକ ଓ ମା' ସୂର୍ଯ୍ୟମଣି ନାୟକ ଙ୍କ ଛଅ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଶଙ୍କର ଚତୁର୍ଥ ସନ୍ତାନ । ବାଳକୃଷ୍ଣ ଘରେ ଗାଈ ରଖି କ୍ଷୀର ବ୍ୟବସାୟ କରି ଯାହା କିଛି ରୋଜଗାର କରନ୍ତି, ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହୁଏ । ଶଙ୍କର ପ୍ରଥମ ରୁ ଦଶମ ଶ୍ରେଣୀ କୋରାପୁଟ ସ୍ଥିତ ଅନ୍ଧ ମୁକ ବଧିର ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । କୋରାପୁଟ ଡି ଏ ଭି କଲେଜ ରେ ଯୁକ୍ତ ଦୁଇ ଓ ସୁନାବେଡା ଏ ସି କଲେଜରୁ ଯୁକ୍ତ ତିନି ସାରିବା ପରେ ଇତିହାସରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଜନ୍ମରୁ ଦେଖି ପାରୁଥିଲେ ମଧ୍ୟ ଗୋଟିଏ ପରେ ଗୋଟେ ସଫଳତା ହାସଲ କରି ପାରିଛନ୍ତି ଓ ଆଗାମୀ ଜୁନ ମାସରେ ହେବାକୁ ଥିବା ୟୁ ପି ଏସ ସି ପରୀକ୍ଷା ଦେବା ପାଇଁ ଜୋର୍ ସୋର ପ୍ରସ୍ତୁତି କରୁଛନ୍ତି ବୋଲି ଶଙ୍କର କହିଛନ୍ତି । ଗତ କିଛି ମାସ ପୂର୍ବରୁ ସେ ବର୍ଷା ନାମ୍ନୀ ଆଂଶିକ ଦୃଷ୍ଟିହୀନା ଙ୍କୁ ବିବାହ କରିଛନ୍ତି । ସହଧର୍ମିଣୀ ବର୍ଷା ଙ୍କ ସମେତ ପରିବାର ଲୋକେ ତାଙ୍କୁ ସବୁ ସମୟରେ ଓ ସବୁ ପରିସ୍ଥିତିରେ ସହଯୋଗ କରୁଛନ୍ତି ବୋଲି କହିବା ସହିତ ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ଉଦ୍ୟମ ନଥିଲେ କୌଣସି କାର୍ଯ୍ୟ ସଫଳ ହେବ ନାହିଁ ବୋଲି ଶଙ୍କର କହିଥିଲେ । ସମାଜର କିଛି ଉନ୍ନତି କରିବା ର ଲକ୍ଷ ନେଇ ସେ ଏହାକୁ ଚୟନ କରିଛନ୍ତି ବୋଲି କହିଥିଲେ ।