ଚମ୍ପୁଆ ବ୍ଲକରେ ପଞ୍ଚାୟତରାଜ ଦିବସ ପାଳିତ: ଅତିଥି ସତ୍କାରରେ ଅବ୍ୟବସ୍ଥା, ସାମ୍ବାଦିକଙ୍କୁ ହତାଦର ନେଇ ଚର୍ଚ୍ଚା
ଚମ୍ପୁଆ - (୨୪/୦୪)କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ତେବେ ସରକାରୀ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସମ୍ମାନ ଓ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡିଓ ସ୍କୃତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କାର୍ଯ୍ୟକ୍ରମର ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, କାର୍ଯ୍ୟକ୍ରମ ଆରମ୍ଭରୁ ଖବର ସଂଗ୍ରହ ପାଇଁ ପହଞ୍ଚିଥିବା ସାମ୍ବାଦିକମାନେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ଶିଷ୍ଟାଚାର ଦେଖାଇ ବସିବାକୁ କୁହାଯାଇନଥିଲା।ସଭାସ୍ଥଳରେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ ଥିବା ଦର୍ଶାଇବାକୁ ଯାଇ 'ପ୍ରେସ ମିଡ଼ିଆ' ଲେଖାଥିବା ବୋର୍ଡ ଲଗାଯାଇଥିଲା। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଥିଲା। ସମ୍ମାନର ସହ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ଅବ୍ୟବସ୍ଥାର ଶିକାର ହେବା ପ୍ରଶାସନର ମନୋଭାବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମ୍ବାଦିକମାନଙ୍କୁ ଏଭଳି ହତାଦର କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନର ଏଭଳି ବ୍ୟବହାରକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୋଟିଏ ପଟେ ସରକାର ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହୁଥିବା ବେଳେ, ବ୍ଲକ କାର୍ଯ୍ୟାଳୟ ପରିସରରେ ସେମାନଙ୍କୁ ଉପେକ୍ଷା କରାଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମତ ପ୍ରକାଶ ପାଇଛି।