ଆପଣଙ୍କ ସେବାରେ ପୁଲିସ' ନା ପ୍ରହାର ଦେବାକୁ ପୁଲିସ'?
ଲିଫ୍ଟ ମାଗି ଚାପୁଡ଼ା ଖାଇଲେ ଯୁବକ
ବଲାଙ୍ଗୀର 'ଆପଣଙ୍କ ସେବାରେ ପୁଲିସ ଏହି ସ୍ଲୋଗାନ ଶୁଣିଲେ ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବ ଜାଗ୍ରତ ହୁଏ। କିନ୍ତୁ ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ଏକ ଘଟଣା ଏହି ସ୍ଲୋଗାନ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାହାଯ୍ୟ ମାଗିବା ବଦଳରେ ପୁଲିସର ଚାପୁଡ଼ା ଖାଇବାକୁ ପଡ଼ିଲା ଜଣେ ଅସହାୟ ଯୁବକଙ୍କୁ।
ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟ। ବଲାଙ୍ଗୀର-ଆଠଗାଁ ରାସ୍ତାର କଂଶାବାହାଲ ଛକରେ ଜଣେ ଯୁବକ ପ୍ରାୟ ୨ ଘଣ୍ଟା ଧରି ଅଟକି ରହିଥିଲେ। ରାତିର ନିଛାଟିଆ ରାସ୍ତାରେ ଘରକୁ ଫେରିବା ପାଇଁ ସେ କୌଣସି ଗାଡ଼ିର ସହାୟତା ଲୋଡ଼ୁଥିଲେ। ସେହି ସମୟରେ ଆଠଗାଁ ପଟୁ ପୁଇଁତଳା ଥାନାର ଏକ ପୁଲିସ ଗାଡ଼ି ଆସୁଥିଲା। ଗାଡ଼ି ଦେଖି ଯୁବକ ଜଣଙ୍କ ଅସହାୟ ହୋଇ ଲିଫ୍ଟ ପାଇଁ ହାତ ଦେଖାଇଥିଲେ।
କିନ୍ତୁ, ଖାକି ପୋଷାକ ପିନ୍ଧା ପୁଲିସ କର୍ମଚାରୀଙ୍କ ପ୍ରତିକ୍ରିୟା ଥିଲା ଅତ୍ୟନ୍ତ ଅସମ୍ବେଦନଶୀଳ। ଗାଡ଼ିରୁ ଓହ୍ଲାଇବା ମାତ୍ରେ ପୁଲିସ କର୍ମଚାରୀ ଯୁବକଙ୍କୁ ମାଡ଼ ମାରିଥିଲେ। ତାଙ୍କୁ କୁହାଯାଇଥିଲା, "ପୁଲିସ ଗାଡ଼ିକୁ ହାତ ଦେଖାଉଛ? ପୁଲିସ ଗାଡ଼ି କେବେ ଲିଫ୍ଟ ଦିଏ କି?" ଏହି କଥା କହି ପୁଲିସ କର୍ମଚାରୀମାନେ ସେଠାରୁ ଚାଲିଯାଇଥିଲେ।
ନ୍ୟାୟ ପାଇଁ ଚେଷ୍ଟା ଓ ନିରାଶା
ନିଜକୁ ଅପମାନିତ ମନେ କରି ସ୍ଵାଭିମାନୀ ଯୁବକ ଜଣଙ୍କ ଥାନାରେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ନ୍ୟାୟ ମିଳିବା ବଦଳରେ 'ଭୟ ମିଶା ପ୍ରେମ' ଦେଖାଇ ଥାନାରୁ ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଇଁତଳା ଥାନା ଅଧିକାରୀ ସଞ୍ଜୟ ରାଉତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେ ଛୁଟିରେ ଥିଲେ ଏବଂ ଶନିବାର ଯୋଗ ଦେଇଛନ୍ତି। ଘଟଣାର ତଦନ୍ତ କରି କହିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ପୁଲିସ ଯଦି ସନ୍ଦେହ କରିଥାନ୍ତେ, ତେବେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥାନ୍ତେ। କିନ୍ତୁ ବିନା କାରଣରେ ଜଣେ ସାଧାରଣ ନାଗରିକଙ୍କୁ ରାସ୍ତା ଉପରେ ଚାପୁଡ଼ା ମାରିବା କେତେଦୂର ଯୁକ୍ତିଯୁକ୍ତ? ଏହି ଘଟଣା ସିସିଟିଭି ଯାଞ୍ଚ କଲେ ସତ୍ୟାସତ୍ୟ ପଦାକୁ ଆସିବ। ପୁଲିସର ଏପରି ଆଚରଣ ସାଧାରଣ ଲୋକଙ୍କ ବିଶ୍ଵାସକୁ କ୍ଷୁର୍ଣ୍ଣ କରୁନାହିଁ କି?
ଫଟୋ କାଳ୍ପନିକ