ବରଗଡ଼ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଯଦୁମଣି ପଧାନ ଅଡିଟରୀୟମ ଠାରେ ପାଳିତ ହୋଇଯାଇଛି।
ବରଗଡ଼ ଜିଲ୍ଲାରେ, ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନର ଗୁରୁତ୍ୱ ବଖାଣିଥିଲେ ।ପଞ୍ଚାୟତିରାଜର ମହତ୍ତ୍ଵ କେବଳ ପ୍ରଶାସନିକ ଢାଞ୍ଚା ମଧ୍ୟରେ ସୀମାବଦ୍ଧ ନୁହେଁ, ଏହା ବାହାରେ ମଧ୍ୟ ବିସ୍ତାରିତ। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ ହେଲେ ଯାଇ ଏକ ଉନ୍ନତ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ । ଏହାକୁ ଭଲ ଭାବରେ ହୃଦୟଙ୍ଗମ କରି ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ ଗ୍ରାମୀଣ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ଓ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବଦା ଉଦ୍ୟମ ଜାରି ରଖିଛି । ଏତଦବ୍ୟତୀତ ରାଜ୍ୟର ସମସ୍ତ ପରିବାରକୁ ପାଇପ୍ ଯୋଗେ ନିରାପଦ ପାନୀୟ ଜଳ ଯୋଗାଣ, କଚ୍ଚା ଘର ଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଣ ସମସ୍ତ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧି ଓ କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ସ୍ଵତନ୍ତ୍ର ରଣନୀତି ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ,ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ଵକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତି ବିଦ୍ୟାର ସହାୟତା, ଗ୍ରାମପଞ୍ଚାୟତ ସ୍ତରରେ ନିଜ ଆୟ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହେଉଥିବା ଶ୍ରୀ ପୁରୋହିତ ଉଲ୍ଲେଖ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଉପାଧ୍ୟକ୍ଷ ଶ୍ରୀ ମୋହନ ଲୁହା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଭୋଏ, ବରଗଡ଼ ଉପ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତିରାଜ ବ୍ୟବସ୍ଥା ବିଷୟରେ କହିବା ସହ ୧୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ୫ଜଣ ଜଣ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ଏବଂ ତିନି ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିଥିବା ୩ ଜଣ ହିତାଧିକାରୀଙ୍କୁ ଇନସେନଟିଭ ବଣ୍ଟନ ସହ ଉତ୍ତମ ପ୍ରଦର୍ଶନ କରିଥିବା ଜିଲ୍ଲାର ପ୍ରମୁଖ ବ୍ଳକ, ଗ୍ରାମ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ, ଜିଆରଏସ, ପିଇଓ, ଜେଇଙ୍କୁ ସମ୍ମାନିତ କରିବା ପରେ ସମସ୍ତେ ଆଭାସୀ ମାଧ୍ୟମରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ସହ ଜଡିତ ହୋଇଥିଲେ।