ନଈଗାଁରେ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ
କେନ୍ଦୁଝର/ସଦର,୨୪।୪(ଧ୍ୟାନକୃଷ୍ଣ ନାୟକ): ସଦର ବ୍ଲକ୍ ପର୍ଜନପୁର ପଞ୍ଚାୟତ ନଈଗାଁ ଗ୍ରାମରେ ମା ତାରିଣୀ ଯଜ୍ଞ କମିଟି ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୧୫ତାରିଖ ଦିନ ଅଧିବାସ ସହ ନାମସଂକୀର୍ତ୍ତନ ଆରମ୍ଭ ହୋଇ ୧୮ତାରିଖରେ ପୂର୍ଣ୍ଣାହୁତି ହୋଇଥିଲା। ଉକ୍ତ ନାମଯଜ୍ଞରେ ଭାସ୍କର ଚନ୍ଦ୍ର ନାୟକ ଏବଂ ଜଗବନ୍ଧୁ ନାୟକ ସଂକଳ୍ପ ଦାୟୀତ୍ୱ ନିର୍ବାହ କରିଥିଲେ। ସ୍ଥାନୀୟ ପୂଜକ ସତ୍ୟାନନ୍ଦ ପଣ୍ଡା ପୂଜାକାର୍ଯ୍ୟକୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ। ନାମ ସଂକୀର୍ତ୍ତନରେ ଚଳିତ ବର୍ଷ ସୁଦୂର ପଶ୍ଚିମବଙ୍ଗର ଜାମବଣି(ମହିଳା),ସାଲଝାଟିଆ, ଝାରଖଣ୍ଡର ବାରସୋଲି(ମହିଳା), ମୟୁରଭଞ୍ଜର ପୁରୁଣିଆଁ ଏବଂ କେନ୍ଦୁଝରର ଆଖୁପାଳ ଆଦି ୫ଟି ଦଳ ଅଂଶ ଗ୍ରହଣ କରି ନାମ ପରିବେଷଣ କରିଥିଲେ। ନାମଯଜ୍ଞର ଦ୍ୱିତୀୟ ଦିବସରେ କେନ୍ଦୁଝର ସାଂସଦଙ୍କ ଧର୍ମପତ୍ନୀ ଲବଙ୍ଗଲତା ନାୟକ ଯୋଗ ଦେଇଥିବା ବେଳେ ତୃତୀୟ ଦିବସରେ ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣେଶ୍ୱର ମହାନ୍ତ ସାମିଲ ହୋଇଥିଲେ। ଉକ୍ତ ନାମଯଜ୍ଞରେ ପ୍ରତ୍ୟେହ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଯଜ୍ଞ କମିଟି ପକ୍ଷରୁ ସବୁବର୍ଷ ଭଳି ପ୍ରସାଦ ସେବନ ଓ ଅନ୍ନଭୋଜନର ସୁବନ୍ଦୋବସ୍ତ କରାଯାଇଥିଲା। ଯଜ୍ଞ କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମର ମା' ଭଉଣୀଙ୍କ ସକ୍ରିୟ ସହଯୋଗରେ ଚଳିତ ବର୍ଷର ନାମଯଜ୍ଞ ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା।