ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ୟୁନିଫର୍ମ: ରୋଗୀ ଓ ସମ୍ପର୍କୀୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ
ଚମ୍ପୁଆ : - (୨୪ /୪) :ସରକାରୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ଓ ଶୃଙ୍ଖଳିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ନିୟମ ପ୍ରଣୟନ କରାଯାଇଛି। କିନ୍ତୁ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ନିୟମ ଏବେ କେବଳ କାଗଜପତ୍ରରେ ସୀମିତ ଥିବା ପରି ମନେହେଉଛି। ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ନିର୍ଦ୍ଧାରିତ ପୋଷାକ (Uniform) ପିନ୍ଧୁ ନଥିବାରୁ ସାଧାରଣ ରୋଗୀମାନେ ଡାକ୍ତର ଓ ସୁଇପରଙ୍କ ମଧ୍ୟରେ ପାର୍ଥକ୍ୟ ବାରିପାରୁ ନାହାନ୍ତି।ସ୍ୱାସ୍ଥ୍ୟକେନ୍ଦ୍ରର ନିୟମ ଅନୁସାରେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ଆଶା କର୍ମୀ, ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ପାଇଁ ପୃଥକ ପୃଥକ ରଙ୍ଗର ୟୁନିଫର୍ମ ରହିବା କଥା। ମାତ୍ର ଏଠାରେ ସମସ୍ତ ଅଫିସ ଷ୍ଟାଫ ଓ ସ୍ୱାସ୍ଥ୍ୟକର୍ମୀ ସାଧାରଣ ପୋଷାକରେ ବୁଲୁଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ହସ୍ପିଟାଲ ପରିସରରେ ଏକ ଅଶୃଙ୍ଖଳିତ ପରିବେଶ ସୃଷ୍ଟି ହେଉଛି।ଦୂରଦୂରାନ୍ତରୁ ଆସୁଥିବା ଗରିବ ଓ ନିରକ୍ଷର ରୋଗୀମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ସେମାନେ ନିଜର ସମସ୍ୟା ଜଣାଇବା ପାଇଁ କାହା ପାଖକୁ ଯିବେ, ତାହା ବୁଝିପାରୁ ନାହାନ୍ତି। ଅନେକ ସମୟରେ ରୋଗୀମାନେ ଜଣେ ସିକ୍ୟୁରିଟି ଗାର୍ଡ କିମ୍ବା ସୁଇପରଙ୍କୁ ଡାକ୍ତର ଭାବି ନିଜର ରୋଗ ବିଷୟରେ ପଚାରୁଛନ୍ତି, ଯାହା ଏକ ବିଭ୍ରାଟକର ପରିସ୍ଥିତି ସୃଷ୍ଟି କରୁଛି।ଜଣେ ରୋଗୀଙ୍କ ସମ୍ପର୍କୀୟ କହିବା ଅନୁସାରେ
"ଆମେ ହସ୍ପିଟାଲକୁ ଆସିଲେ କିଏ ଡାକ୍ତର ଆଉ କିଏ କର୍ମଚାରୀ ଜାଣି ହେଉନି। ସମସ୍ତେ ଗୋଟିଏ ପ୍ରକାର ପୋଷାକରେ ଅଛନ୍ତି। ସରକାର ଡ୍ରେସ ପାଇଁ ଟଙ୍କା ଦେଉଥିବା ବେଳେ ଏମାନେ କାହିଁକି ପିନ୍ଧୁ ନାହାନ୍ତି?" ହସ୍ପିଟାଲର ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କର୍ମଚାରୀମାନଙ୍କ ଏଭଳି ବେପରୁଆ ମନୋଭାବ ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରର ଗାରିମା କ୍ଷୁଣ୍ଣ ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଏବଂ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି।