logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଠାକୁରଗଡ଼ରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା: ଆଧ୍ୟାତ୍ମିକତାରେ ପୁଲକିତ ଅଞ୍ଚଳ ।

ଅନୁଗୋଳ (କରୁଣାକର ନାୟକ)୨୩/୪ ଭକ୍ତି, ଶ୍ରଦ୍ଧା ଏବଂ ପବିତ୍ରତାର ଅପୂର୍ବ ସମନ୍ୱୟ ମଧ୍ୟରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ମା’ ବିମଳା ଓ ମା’ ଲକ୍ଷ୍ମୀ ଦେବୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ। ଏହି ପବିତ୍ର ଅବସରରେ ସମଗ୍ର ସ୍ଥାନୀୟ ଅଞ୍ଚଳ ଏକ ଭକ୍ତିମୟ ପରିବେଶରେ ଉବୁଟୁବୁ ହେଉଛି। ଉତ୍ସବର ଦ୍ୱିତୀୟ ଦିବସରେ ଶାସ୍ତ୍ରୀୟ ବିଧାନ ଅନୁଯାୟୀ ସକାଳୁ ସୂର୍ଯ୍ୟ ପୂଜା, ଧେନୁ ପୂଜା ଏବଂ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଜଳ ଦାନ, ମଣ୍ଡଳ ପୂଜନ ଏବଂ ବିଗ୍ରହ ସ୍ନାନ ପରେ ଶୁଭ ଅପରାହ୍ନ ୩.୦୫ ମିନିଟ୍ ସମୟରେ ମା’ଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରାଣ ପ୍ରତିଷ୍ଠା ପରେ ମା’ଙ୍କ ବିଗ୍ରହକୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଘଣ୍ଟ, ଢୋଲ, ଟମକ, ନିଶାଣ ଏବଂ ମହୁରୀର ତାଳେ ତାଳେ ହରିବୋଲ ଓ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ଠାକୁରଗଡ଼ ମୁଖ୍ୟ ବଜାର ସମେତ ଆଦିବାସୀ ସାହି, ଅଠର ଫୁଟିଆ, ପୁରୁଣାପାଣି ଏବଂ ଦେଉଳ ସାହି ପରିକ୍ରମା କରି ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଶ୍ରଦ୍ଧାଳୁମାନେ ନିଜ ନିଜ ଦ୍ୱାର ଆଗରେ ମା’ଙ୍କ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏହି ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମକୁ ପଣ୍ଡିତ ଅଶୋକ ମିଶ୍ର, ରୀଙ୍କୁଲାଲ ମିଶ୍ର, ପ୍ରଶାନ୍ତ ମହାପାତ୍ର, ରୁଦ୍ର ମୋହନ ମିଶ୍ର ଓ ନିର୍ମଳ ମିଶ୍ର ପରିଚାଳନା କରୁଥିବା ବେଳେ, ମୁଖ୍ୟ କର୍ତ୍ତା ଭାବେ ବିଶ୍ୱରଞ୍ଜନ ଦେଓ ଓ ଭନ୍ତାଚାରୂ ଦେଓ ଦାୟିତ୍ୱ ନିର୍ବାହ କରୁଛନ୍ତି। ମନ୍ଦିର ପରିଚାଳନା କମିଟିର ସଦସ୍ୟ ; ଶତ୍ରୁଘ୍ନ ସାହୁ, ସନ୍ତୋଷ କୁମାର ସାହୁ, ବସନ୍ତ କୁମାର ସାହୁ, ସୂରିଆ ସାହୁ,ସୌଭାଗ୍ୟ ମିଶ୍ର, ସୁଜିତ୍ କୁମାର ଦେହୁରୀ, ମନୋଜ କୁମାର ରାଉତ ,ଅଶ୍ୱିନୀ କୁମାର ଖୁଣ୍ଟିଆ, ଲିଟୁ ରାଉତ, ସତ୍ୟବ୍ରତ ସେନାପତି ଓ ବିଭୁ ପ୍ରସାଦ ସେନାପତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଛନ୍ତି।
ଉତ୍ସବରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଠାକୁରଗଡ଼ ଥାନା ପୋଲିସ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଶେଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା କାଲି ମା’ ବିମଳା ଓ ମା’ ଲକ୍ଷ୍ମୀ ଦେବୀଙ୍କ ପବିତ୍ର "ମନ୍ଦିର ପ୍ରବେଶ" ଉତ୍ସବ ଅନୁଷ୍ଠିତ ହେବ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖାଦେଇଛି।

62
2864 views

Comment