ମୋଟୁ ଚେକପୋଷ୍ଟରେ ବନବିଭାଗର ବଡ ସଫଳତା: 761 କଇଁଛ ଜବତ, ଚୋରାଚାଳାଣ ରାକେଟ୍ ଫାଶ ଆଶଙ୍କା l
ମାଲକାନଗିରି:ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳର ମୋଟୁ ଚେକପୋଷ୍ଟରେ ବନବିଭାଗ ଏକ ବଡ ସଫଳତା ହାସଲ କରିଛି। ଗୁପ୍ତ ସୂଚନା ଆଧାରରେ କରାଯାଇଥିବା ବିଶେଷ ଅଭିଯାନରେ ବହୁ ପରିମାଣରେ କଇଁଛ ଜବତ କରାଯାଇଛି, ଯାହା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।
ବନବିଭାଗ ସୂଚନା ଅନୁସାରେ, ମୋଟ 761ଟି କଇଁଛ ଜବତ ହୋଇଥିବା ବେଳେ, ସେଗୁଡିକର ମୋଟ ଓଜନ ପ୍ରାୟ 2 ଟନ 305 କେଜି (2305 କେଜି) ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଛି।
ଅଭିଯାନ ସମୟରେ ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ଆସୁଥିବା ଏକ ସନ୍ଦେହଜନକ ବୋଲେରୋ ଗାଡ଼ିକୁ ଅଟକାଯାଇଥିଲା। ତଲାଶି କାଳରେ ଗାଡ଼ି ଭିତରୁ ଏହି ବହୁ ପରିମାଣର କଇଁଛ ମିଳିଥିଲା। ବନବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭର ସହ ଗାଡ଼ିକୁ ଜବତ କରିଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କଇଁଛଗୁଡିକ ମୋଟୁ ଥାନା ଅଞ୍ଚଳର MPV-83 ଗ୍ରାମର ଦଲାଲ ଶକ୍ତିପଦ ଗାଇନଙ୍କ ପାଖକୁ ପଠାଯାଉଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଶକ୍ତିପଦ ଗାଇନ ବର୍ତ୍ତମାନ ଫେରାର ରହିଥିବା ସୂଚନା ମିଳିଛି।
ମୋଟୁ ଫୋରେଷ୍ଟର ମୁରୁଲୀଧର ଅନୁଗୁଳିଆ କହିଛନ୍ତି ଯେ, ଏହା ଏକ ବଡ ଚୋରାଚାଳାଣ ଚକ୍ରର ଅଂଶ ହୋଇପାରେ। ଘଟଣାର ଗଭୀର ତଦନ୍ତ ଜାରି ରହିଛି ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଖୋଜାଖୋଜି କରାଯାଉଛି।
ଏହି ଘଟଣା ପରେ କାଲିମେଳା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଚଞ୍ଚଳତା ଦେଖାଦେଇଛି। ବନ୍ୟଜୀବ ଚୋରାଚାଳାଣ ଉପରେ ଏହି ପ୍ରକାର ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ା କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।