ମାଲକାନଗିରିରେ ଶ୍ରମିକ ସଚେତନତା ଶିବିର: ୯୧ ଜଣଙ୍କ ସହଭାଗୀତା, ୫୧ ନୂତନ ପଞ୍ଜିକରଣ
ମାଲକାନଗିରି (୨୩/୦୪) – ଜିଲ୍ଲାର ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଜାଲରେ ସାମିଲ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଅନୁଷ୍ଠାନ କରୁଥିବା ପଦକ୍ଷେପ ଜୋରଦାର ଭାବେ ଚାଲିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ମାର୍ଗଦର୍ଶନରେ ମାଲକାନଗିରି ବ୍ଲକର ଗୋରାଖୁଣ୍ଟା ଗ୍ରାମ ପଞ୍ଚାୟତରେ ଏକ ବିଶାଳ ସଚେତନତା ଓ ପଞ୍ଜିକରଣ ଶିବିର ଆୟୋଜିତ ହୋଇଥିଲା।
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ସଂଯୁକ୍ତ ପ୍ରୟାସରେ ଆୟୋଜିତ ଏହି ଶିବିରରେ ମୋଟ ୯୧ ଜଣ ଶ୍ରମିକ ଯୋଗଦେଇଥିଲେ। ସେଥିରୁ ୫୧ ଜଣ ନୂତନ ଭାବେ ପଞ୍ଜିକରଣ କରିଥିବାବେଳେ ୨୯ ଜଣଙ୍କର ନବୀକରଣ ଏବଂ ୨୧ ଜଣଙ୍କର ପୁନଃ ପଞ୍ଜିକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି।
ସ୍ଥାନୀୟ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ଫଳରେ ଶ୍ରମିକମାନେ ଏହି ଶିବିରରୁ ଲାଭାନ୍ବିତ ହୋଇପାରିଥିଲେ। ସହକାରୀ ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସିଏସସି କର୍ମଚାରୀମାନେ ସକ୍ରିୟ ଭାଗ ନେଇଥିଲେ।
ଦୁର୍ଗମ ଅଞ୍ଚଳରେ ଏଭଳି ଶିବିର ମାଧ୍ୟମରେ ସରକାରୀ ଯୋଜନାକୁ ଶ୍ରମିକଙ୍କ ଦୁଆରେ ପହଞ୍ଚାଇବାରେ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।