ଅଦାଲତ ଅବମାନନା ମାମଲା: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟଙ୍କ ‘ଏମର୍ଜେଣ୍ଟ ପୁଲିସ ନୋଟିସ୍’।
ଅଦାଲତ ଅବମାନନା ମାମଲା: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟଙ୍କ ‘ଏମର୍ଜେଣ୍ଟ ପୁଲିସ ନୋଟିସ୍’।
କେନ୍ଦୁଝର,୨୩/୦୪ (ଖଣ୍ଡାଧାର ନିଉଜ ବ୍ୟୁରୋ) ରାଜ୍ୟ ପ୍ରଶାସନିକ କଳର ଶିଥିଳତା ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରିବା ଘଟଣାରେ ଓଡ଼ିଶା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ଅବମାନନା ମାମଲାର ଶୁଣାଣି କରି ଅଦାଲତ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ପ୍ରଶାସନର ଚାରି ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ‘ଏମର୍ଜେଣ୍ଟ ପୁଲିସ ନୋଟିସ୍’ ଜାରି କରିଛନ୍ତି।
୨୦୨୪ ମସିହାର ଏକ ରିଟ୍ ଅପିଲ୍ (WA/1328/2024) ରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇ ନଥିବା ଅଭିଯୋଗ କରି ଡକ୍ଟର ସଞ୍ଜୟ କୁମାର ପଣ୍ଡା ଏକ ଅବମାନନା ପିଟିସନ (CONTC No. 1992 of 2026) ଦାଖଲ କରିଥିଲେ। ଜଷ୍ଟିସ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପ୍ରଶାସନିକ ଅବହେଳା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ନୋଟିସ୍ ପାଇଥିବା ପ୍ରମୁଖ ଅଧିକାରୀ:
ଅନୁ ଗର୍ଗ: ମୁଖ୍ୟ ଶାସନ ସଚିବ
• ଅଶ୍ୱତୀ ଏସ୍:ସ୍ୱାସ୍ଥ୍ୟ ସଚିବ
• ଅରୁଣ କୁମାର ଷଡ଼ଙ୍ଗୀ: ଅଧ୍ୟକ୍ଷ, ଓପିଏସ୍ସି
• ବିଜୟ କୁମାର ଖଣ୍ଡାୟତ ରାୟ: ସଚିବ,ଓପିଏସ୍ସି
ସାଧାରଣତଃ କୋର୍ଟ ନୋଟିସ୍ ପଠାଇବାର ଯେଉଁ ପାରମ୍ପରିକ ପ୍ରକ୍ରିୟା ରହିଛି, ତାହାକୁ ବାଦ୍ ଦେଇ ଖଣ୍ଡପୀଠ ଏଠାରେ ସିଧାସଳଖ ପୁଲିସର ସହାୟତା ନେଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ପୁଲିସ ଅଧିକ୍ଷକ ବ୍ୟକ୍ତିଗତ ଭାବେ ଏହି ନୋଟିସ୍ ଅଧିକାରୀମାନଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏକ ସପ୍ତାହ ମଧ୍ୟରେ ରେଜିଷ୍ଟ୍ରାର ଜେନେରାଲଙ୍କୁ ଇ-ମେଲ୍ ଯୋଗେ ଅନୁପାଳନ ରିପୋର୍ଟ ଦେବାକୁ ଏସ୍ପିଙ୍କୁ କୁହାଯାଇଛି।
ଅଦାଲତ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରିବା ଏକ ଦଣ୍ଡନୀୟ ଅପରାଧ।
"ଅଦାଲତ ଅବମାନନା ଆଇନ, ୧୯୭୧ ଏବଂ ସମ୍ବିଧାନର ଧାରା ୨୧୫ ଅନୁଯାୟୀ ଏଥିପାଇଁ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇପାରେ।"
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ମାମଲା ପରିଚାଳନା କରୁଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨ ତାରିଖରେ ଧାର୍ଯ୍ୟ କରାଯାଇଛି। ସେହିଦିନ ସମ୍ପୃକ୍ତ ଅଧିକାରୀମାନେ ନିଜର ପକ୍ଷ ରଖିବେ। ରାଜ୍ୟର ଶୀର୍ଷ ପ୍ରଶାସକଙ୍କ ବିରୋଧରେ ହାଇକୋର୍ଟଙ୍କ ଏଭଳି କଠୋର ଆଭିମୁଖ୍ୟ ଏବେ ସଚିବାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମାନ୍ୟବର ହାଇକୋର୍ଟ ଙ୍କ ଏପରି ପଦକ୍ଷେପର ସୂଚନା ପାଇବା ପରେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ପ୍ରଶାସନ ର ଅନେକ ବରିଷ୍ଠ ପଦାଧିକାରୀ ମାନଙ୍କର ମନରେ ଛନକା ପଶି ଯାଇଥିବା ଜାଣିବା ପାଇଁ ମିଳୁଅଛି।