ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ।
ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ।
କେନ୍ଦୁଝର,୨୨ା୦୪: କେନ୍ଦୁଝର ଜିଲ୍ଲା ଶ୍ରମ ବିଭାଗ ଏବଂ ବ୍ଲକ ପ୍ରଶାସନ ମିଳିତ ଆନୁକୂଲ୍ୟରେ ହରିଚନ୍ଦନପୁର ବ୍ଲକ ଶଗଡପଟା ଗ୍ରାମ ପଂଚାୟତ ଅନ୍ତର୍ଗତ ବିଲା ଗାଁରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୮୮ଜଣ ଯୋଗ ଦେଇଥିଲେ । ଏଥିମଧ୍ୟରୁ ୯୮ଜଣ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ,ଅଣ ସଂଗଠିତ କାର୍ଯ୍ୟରେ ନିୟୋଜିତ ୬୪ଜଣ ଶ୍ରମିକ,୬୦ ବର୍ଷରୁ ଉର୍ଦ୍ଧ୍ୱ ୧୨ଜଣ ଏବଂ ୧୭ଜଣ ଅଣଶ୍ରମିକ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କ୍ୟାମ୍ପରେ ସହକାରୀ ଶ୍ରମ ଅଧିକାରୀ ସୁଚିସ୍ମିତା ପାଣିଗ୍ରାହୀ ୧୪ଜଣ ନିର୍ମାଣ ଶ୍ରମିକଙ୍କୁ ଲେବର କାର୍ଡ ବଂଟନ କରିଥିଲେ ଏବଂ ଅନ୍ୟ ଯୋଗ୍ୟ ଶ୍ରମିକମାନଙ୍କୁ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ୭୦ଜଣଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିଲା । ଏଥିସହିତ ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା । ନିଯୁକ୍ତିଦାତାମାନଙ୍କୁ ଗ୍ରୀଷ୍ମପ୍ରବାହ ସମୟରେ କାର୍ଯ୍ୟ ସମୟକୁ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ ନ କରିବାକୁ ସଚେତନ କରାଯାଇଥିଲା । ନିର୍ମାଣଧିନ ସ୍ଥାନରେ ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା,ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ଏବଂ ଓଆରଏସ୍ ପ୍ୟାକେଟର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ସଚେତନତା କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ବିଷୟରେ ଅବଗତ କରାଯାଇଥିଲା । ଶିଶୁ ଶ୍ରମିକ ନିରୋଧ ଆଇନ ଏବଂ ଏଥିରେ ଥିବା ଦଣ୍ଡବିଧାନ,ପ୍ରବାସୀ ଶ୍ରମିକମାନଙ୍କୁ ପଂଚାୟତସ୍ତରରେ ପଞ୍ଜିକରଣ ବାବଦରେ ଅବଗତ କରାଯାଇଥିଲା । ବିଶେଷ କରି ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକମାନେ ପଂଚାୟତସ୍ତରରେ ସ୍ୱେଚ୍ଛାକୃତ ଭାବେ ପଞ୍ଜିକରଣ କରି କେଉଁ ସ୍ଥାନକୁ ଏବଂ କେଉଁ ଠିକାଦାରଙ୍କ ଦ୍ୱାରା କାମ କରିବାକୁ ଯାଉଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଥିଲା । ଏହା ମୁଖ୍ୟତଃ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଏବଂ ସରକାରୀ ସୁବିଧା ସହିତ ଯୋଡିବା ପାଇଁ କରାଯାଇଥାଏ । ଶ୍ରମିକମାନେ ନିଜ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଉପଲବ୍ଧ ଫର୍ମ ପୂରଣ କରି ଅଫ୍ଲାଇନରେ ପଞ୍ଜିକରଣ କରିପାରିବେ । ପଂଚାୟତ ବ୍ୟତିତ ଶ୍ରମିକମାନେ ମୋ ସେବା କେନ୍ଦ୍ର ମାଧ୍ୟମରେ ପାରିଶ୍ରମ ପୋର୍ଟାଲରେ ମଧ୍ୟ ସ୍ୱେଚ୍ଛାକୃତ ପଞ୍ଜିକରଣ କରିପାରିବେ ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।