କାଲିମେଳାରେ ୫୦ କେଜି ଗଞ୍ଜେଇ ଜବତ, ୫ ଗିରଫ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୨୭ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ପାଖରେ କାଲିମେଳା ପୁଲିସ ଦ୍ୱାରା ବଡ଼ ସଫଳତା ମିଳିଛି। ପେଟ୍ରୋଲିଂ ସମୟରେ ପୁଲିସ ଦଳ ୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସିଏଚ ୟେଶୋଦାଶୁ, ଡି ପ୍ରବୀଣ କୁମାର, ଏ ମହେଶ ବାବୁ, ଏନ ରାହୁଲ ଓ ପି ମନେନ୍ଦ୍ର ବାବୁ, ଯେଉଁମାନେ ଆନ୍ଧ୍ରପ୍ରଦେଶ ଅଞ୍ଚଳର ନିବାସୀ ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଚୋରାଭାବେ ଗଞ୍ଜେଇ ରଖି ବିଭିନ୍ନ ଅଞ୍ଚଳକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ସନ୍ଦେହ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ସେମାନଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ଓ ତିନୋଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି।
ଏନେଇ କାଲିମେଳା ଥାନାରେ କେସ୍ ନମ୍ବର ୮୬/୨୬ ରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ ଏହା ସମ୍ପର୍କରେ ସୂଚନା ଦେଇଥିବା ସହ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।