ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ
ଦେବଗଡ଼, ତା. ୨୦.୦୪.୨୦୨୬
ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ବିଜୟନଗର ସରଣିପାଟ ପଡ଼ିଆ ପରିସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ପାଳନ ସମାରୋହ ସହିତ “ଅଖି ମୁଠି ଅନୁକୂଳ” କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବାବେଳେ, ବରେଣ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପାତ୍ର ଏବଂ କୃଷକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଶ୍ରୀ ଭରତ ଭୁଷଣ ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତ ଅତିଥିମାନେ ମିଳିତ ଭାବେ “ଅଖି ମୁଠି ଅନୁକୂଳ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପରବର୍ତ୍ତୀ ସାଧାରଣ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା “ସି.ଏମ୍. କିଶାନ” ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏହି ଅବସରରେ ଚାଷୀ ଭାଇମାନଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା ଏବଂ କୃଷିକୁ ଦେଶର ମୂଳ ଭିତ୍ତି ଭାବେ ଉଲ୍ଲେଖ କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବା ପାଇଁ କୃଷକ ସଶକ୍ତିକରଣ ଅତ୍ୟନ୍ତ ଆବଶ୍ୟକ। ତେଣୁ ସରକାରଙ୍କ ସମସ୍ତ କୃଷକମୁଖୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଓ ଚାଷୀମାନଙ୍କୁ ଲାଭାନ୍ବିତ କରିବା ଦରକାର।
ଆଜିର ଦିନରେ ଚାଷୀମାନେ ପାରମ୍ପରିକ ଭାବେ ଧାନ ବୁଣା ଆରମ୍ଭ କରିଥାନ୍ତି, ଯାହା ଆମ ସମସ୍ତଙ୍କ ଜୀବନଧାରାକୁ ସୁନିଶ୍ଚିତ କରେ।
ଏହି ଅବସରରେ ଦେବଗଡ଼ ଜିଲ୍ଲାର ୪୧,୮୮୩ ଜଣ ଚାଷୀଙ୍କୁ “ସି.ଏମ୍. କିଶାନ” ଯୋଜନା ଅନୁସାରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା କରି ଡି.ବି.ଟି. ମାଧ୍ୟମରେ ସିଧାସଳଖ ତାଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଓ ବହୁ ସଂଖ୍ୟକ ଚାଷୀ ଭାଇମାନେ ଉପସ୍ଥିତ ଥିଲେ।