ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା
ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା
କାଲିମେଳା,୨୦|୪ : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତତ୍ତ୍ଵାବଧାନରେ ସ୍ଥାନୀୟ ଦୂର୍ଗା ମନ୍ଦିର ନିକଟରେ ଏକ ସାଇବର ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ମାଧ୍ୟମରେ ଖୁବ କମ ସମୟରେ ହୋଇପାରୁଛି । ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ସମସ୍ତଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର । ଟିକେ ସତର୍କତା ଅବଲମ୍ବନ ନ କଲେ ସାଇବର ଅପରାଧୀଙ୍କ ଠକାମିର ଶିକାର ହେବାକୁ ପଡିବ । ଜନସାଧାରଣ କିପରି ସାଇବର ଠକାମୀର ଶିକାର ନ ହେବେ ସେଥିପାଇଁ ରବିବାର କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ବାଳ ସାଇବର ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ ।ପୁଲିସ ପକ୍ଷରୁ କରାଯାଉଥିବା ସାଇବର ସଚେତନତା ବିଷୟକୁ ଅବଲମ୍ବନ କରି ନିଜେ ସତର୍କ ରହିବା ଓ ସଚେତନ ହୋଇ ଅନ୍ୟଙ୍କୁ ମଧ୍ୟ ସାଇବର ସୁରକ୍ଷା ପାଇଁ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ଆକାଉଂଟ ନମ୍ବର, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ, ୟୁପିଆଇ ବିବରଣୀ କୈାଣସି ଅଞାତ ବ୍ୟକ୍ତିଙ୍କୁ ଶେୟାର ନ କରିବା ପରାମର୍ଶ ଦିଆଯାଇଥିଲା । କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସାଇବର ସୁରକ୍ଷା ଉପରେ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିବା ସହ ଏକ ସଚେତନ ନାଟକ ପରିବେଷଣ କରିଥିଲେ । ଏହି ସାଇବର ସୁରକ୍ଷା ଅଭିଯାନ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ଲାଭ କରିଥିବା ତଥା ସୋସିଆଲ ମିଡ଼ିଆ ଫେସବୁକ, ଟ୍ୱିଟର ଆଦିରେ ସାଇବର ସମ୍ବନ୍ଧିତ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।