logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଙ୍ଗଳପୁର ଜଙ୍ଗଲରେ ଭୂତଳ ବନ୍ଧ ନିର୍ମାଣରେ ଅନିୟମିତତା ଅଭିଯୋଗ : ବିନା ସୂଚନା ଫଳକରେ କାର୍ଯ୍ୟ ଶେଷ, ତଦନ୍ତ ଦାବି

ଚମ୍ପୁଆ, (୧୯/୦୪): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ବନାଞ୍ଚଳର ଉଖୁଣ୍ଡା ସେକ୍ସନରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ମଙ୍ଗଳପୁର (ବର୍ଦ୍ଧନା ସଂରକ୍ଷିତ ଜଙ୍ଗଲ) ପରିସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମଞ୍ଜୁର ହୋଇଥିବା "ଭୂତଳ ବନ୍ଧ" ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।​ ବିଭାଗ ପକ୍ଷରୁ ୪,୯୪,୭୬୩ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।
​ ସରକାରୀ ନିୟମ ଅନୁଯାୟୀ ସାଧାରଣ ଲୋକ ଯେପରି ସୁବିଧାରେ ସମସ୍ତ ସୂଚନା ପାଇପାରିବେ ସେଥିପାଇଁ ଯେକୌଣସି ପ୍ରକଳ୍ପ ସ୍ଥଳରେ ଏକ "ସୂଚନା ଫଳକ" ରହିବା ବାଧ୍ୟତାମୂଳକ ଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଗଲାଣି କିନ୍ତୁ ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ, କେବଳ ଫଟୋ ଉଠାଇବା ପାଇଁ ଏକ ଫଳକ ତିଆରି କରା ଯାଇଛି। ଫୋଟ ଉଠାଇ ସାରିବା ପରେ ତାକୁ ଅନ୍ୟତ୍ର ଫୋପାଡ଼ି ଦିଆ ଯାଇଛି। ଯାହା କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଭୂତଳ ବନ୍ଧ ନିର୍ମାଣ କାର୍ଯ୍ୟ ବୈଷୟିକ ମାର୍ଗଦର୍ଶିକା ଅନୁସାରେ କରାଯାଉ ନାହିଁ। ନଦୀ ବା ନାଳ ଶଯ୍ୟାରେ ବାଲି ତଳେ ପ୍ରବାହିତ ହେଉଥିବା ଜଳକୁ ଅଟକାଇ ଭୂତଳ ଜଳସ୍ତର ବୃଦ୍ଧି କରିବା ଉଦେଶ୍ୟରେ ନିର୍ମାଣ କରାଯାଉଥିବା ଏହି ଭୂତଳ ବନ୍ଧକୁ ଏଠାରେ ଏକ ସମତଳ ମୋରହମ ମାଟି ଥିବା ସ୍ଥାନରେ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ତା ସହିତ ବନ୍ଧ କାନ୍ଥର ଗଭୀରତା ନିୟମାନୁସାରେ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିବା ବେଳେ କଂକ୍ରିଟ କାମ ମଧ୍ୟ ଅତି ନିମ୍ନମାନର କରାଯାଇଥିବା କୁହାଯାଉଛି। କାନ୍ଥ ନିର୍ମାଣ ପରେ ଉଭୟ ପାର୍ଶ୍ୱରେ ଭଲ ଭାବେ ବାଲି ବା ମାଟି ଦେଇ ପୋତା ଯିବା କଥା କିନ୍ତୁ ଏଠାରେ ତାହା ମଧ୍ୟ ଭଲଭାବେ କରାଯାଇ ନ ଥିବା ଦେଖିବାକୁ ମିଳିଛି। କାର୍ଯ୍ୟ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନ ଥିବାରୁ ଠିକାଦାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିୟମକୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା କୁହାଯାଉଛି ।
​କେନ୍ଦୁଝର ବନଖଣ୍ଡର ଚମ୍ପୁଆ ବନାଞ୍ଚଳ ଏହି କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ବେଳେ, କେଉଁ ଆଧାରରେ ବିନା ସୂଚନା ଫଳକରେ କାମ ଚାଲିଛି ଏବଂ ଅନୁଦାନ ଅର୍ଥର ହେରଫେର କରାଯାଉଛି, ଜଙ୍ଗଲ ସୁରକ୍ଷା ଓ ଜଳ ସଂରକ୍ଷଣ ନାଁରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କିଭଳି ଭାବେ ବାଟମାରଣା ହେଉଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କର୍ତୃପକ୍ଷ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି ସରକାରୀ ଅର୍ଥର ସଠିକ୍ ବିନିଯୋଗ ସହ ଜଙ୍ଗଲର ପ୍ରକୃତ ବିକାଶ ପାଇଁ ସ୍ୱଚ୍ଛତା ଫେରାଇ ଆଣିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ଦାବି କରିଛନ୍ତି।

29
1013 views

Comment