logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ, ଶିକ୍ଷା ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ମାଲକାନଗିରି, ୧୮/୪:
ଆଜି ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସି.ବି.ଏସ.ଇ. ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ଅର୍ଜନ କରିଥିବା ୨୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜବାହର ନବୋଦୟ ବିଦ୍ୟାଳୟରୁ ୧୧ ଜଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୮ ଜଣ, କେନ୍ଦ୍ରୀୟ ବିଦ୍ୟାଳୟରୁ ୩ ଜଣ ଏବଂ ଆଇ.ଏମ୍.ଏସ.ଟି. ବିଦ୍ୟାଳୟରୁ ୬ ଜଣ ଛାତ୍ରଛାତ୍ରୀ ଏହି ସମ୍ମାନ ପାଇଥିଲେ।
ଏହି ଅବସରରେ ଅଁଳାପଦର ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଲକ୍ଷ୍ମଣ ଦୋରାଙ୍କୁ ୧୭ ବର୍ଷ ବିଭାଗର ଜାତୀୟ ବିଦ୍ୟାଳୟ କ୍ରିକେଟ ପାଇଁ ଚୟନ ହୋଇଥିବାରୁ ବିଶେଷ ଭାବେ ସମ୍ମାନ ଜଣାଯାଇଥିଲା। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏପରି ଉତ୍କୃଷ୍ଟ ପ୍ରଦର୍ଶନ ଜିଲ୍ଲା ପାଇଁ ଗର୍ବର ବିଷୟ ଏବଂ ଏହା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଏ। ସେ ଶିକ୍ଷାକୁ ସମାଜ ପରିବର୍ତ୍ତନର ମୂଳ ଆଧାର ବୋଲି ଉଲ୍ଲେଖ କରିଥିଲେ।
ପରବର୍ତ୍ତୀ ଅଂଶରେ ଜିଲ୍ଲାସ୍ତରୀୟ ଶିକ୍ଷା ବିଭାଗ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ କାର୍ଯ୍ୟର ପ୍ରଗତି ଉପସ୍ଥାପନ କରିଥିଲେ। ସମସ୍ତ ତଥ୍ୟ ଆଲୋଚନା ପରେ ଜିଲ୍ଲାପାଳ ବିଦ୍ୟାଳୟ ସୁରକ୍ଷା, ବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ମୁଖ୍ୟ ସ୍ରୋତରେ ଆଣିବା, ପୋଷାକ ଓ ପାଠ୍ୟପୁସ୍ତକ ବଣ୍ଟନକୁ ତ୍ୱରାନ୍ୱିତ କରିବା ଓ ଦଶମ ଶ୍ରେଣୀର ଫଳାଫଳ ଉନ୍ନତ କରିବା ପାଇଁ ନୂତନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଶିକ୍ଷା ଷ୍ଟୁଡିଓ ଓ ବିଚାର ମଞ୍ଚ ଭଳି ନୂତନ ପଦ୍ଧତି ଅପନାଇବାକୁ ମଧ୍ୟ ସୁପାରିଶ କରିଥିଲେ।

0
0 views

Comment