ପ୍ରଶାସନର ନୀରବତାକୁ ନେଇ ବେଧଡ଼କ ବାଲି ଚୋରି: ଜନଅସନ୍ତୋଷ
ଚମ୍ପୁଆ : - (୧୮/୦୪)
ଭୂଇଁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମେମେର୍ଦା ନାଳରେ ଚାଲିଛି ମାଫିଆଙ୍କ ରାଜ୍। ଶିବ ମନ୍ଦିର ବାଲିଘାଟ ଠାରୁ ଆରମ୍ଭ କରି ରାଉତରାପୁର ଭଙ୍ଗାପୋଲ ବାଲିଘାଟ ପର୍ଯ୍ୟନ୍ତ ଅଞ୍ଚଳ ଏବେ ବାଲି ମାଫିଆଙ୍କ କବଜାରେ। ଦିନରାତି ଶହ ଶହ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜାଲିଗ୍ରାମ, ବର୍ଦ୍ଧନା, ଭରତିଆ ସାହି ଏବଂ ରାଉତରାପୁର ଗ୍ରାମର ଅନେକ ଟ୍ରାକ୍ଟର ଏହି ବେଆଇନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଏହି ଘାଟଗୁଡ଼ିକରୁ ଖୋଳାଯାଇ ବାହାରକୁ ଚାଲାଣ କରାଯାଉଛି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ପ୍ରାକୃତିକ ସମ୍ପଦର ଲୁଟ୍ ଚାଲିଛି।ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ବେଆଇନ କାରବାର ବିଷୟରେ ଖଣି ବିଭାଗ, ପୋଲିସ ପ୍ରଶାସନ, ତହସିଲ କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ ନିକଟରେ ଖବର ଥିଲେ ମଧ୍ୟ ସମସ୍ତେ କାହିଁକି ଚୁପ୍ ବସିଛନ୍ତି? ପ୍ରଶାସନର ଏହି ନୀରବତା ପଛରେ କିଛି ମଧୁଚନ୍ଦ୍ରିକା ରହିଛି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗ୍ରାମବାସୀଙ୍କ କହିବା କଥା ଯେ "ବାଲି ମାଫିଆମାନେ ଏତେ ନିର୍ଭୟ ହୋଇଗଲେଣି ଯେ ସେମାନଙ୍କୁ କାହାରି ଭୟ ନାହିଁ। ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ଅଞ୍ଚଳର ପରିବେଶ ଅବସ୍ଥା ଶୋଚନୀୟ ହୋଇପଡ଼ିବ।" ଯଦି ତୁରନ୍ତ ଏହି ବାଲି ଚୋରି ବନ୍ଦ କରାନଯାଏ, ତେବେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବାଲି ଘାଟରେ ଚଢ଼ାଉ କରି ଗାଡ଼ି ଗୁଡ଼ିକୁ ଜବତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।