logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ*

*ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ*

*ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବାକୁ ନିର୍ଦ୍ଦେଶ*

*ମାଲକାନଗିରି,୧୮/୪/୨୬:*

ଜିଲ୍ଲାର ପ୍ରତିଟି ନାଗରିକଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତୃଣମୂଳ ସ୍ତରରେ ଥିବା ସ୍ୱାସ୍ଥ୍ୟ ଉପ-କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ସରକାରଙ୍କ ପ୍ରମୁଖ ଜନହିତକର ଯୋଜନା ଯଥା- ଆୟୁଷ୍ମାନ ଭାରତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସଫଳ ରୂପାୟନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଏବଂ ଅଭିନବ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ଲାନକୁ କେବଳ କାଗଜପତ୍ରରେ ସୀମିତ ନ ରଖି ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଟୀକାକରଣ ଅଭିଯାନର ଅଗ୍ରଗତି ଏବଂ ଚିକିତ୍ସାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଗୁରୁତ୍ୱ ଦେଇଥିଲେ। ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ସହ ତ୍ୱରିତ ସେବା ଯୋଗାଇ ଦେବାକୁ ଉପସ୍ଥିତ ଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସେ ଆହ୍ୱାନ ଦେଇଛନ୍ତି।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଡୋଳାମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଡଃ ମୌସୁମୀ ମିଶ୍ର ସମଗ୍ର ବୈଠକର ପରିଚାଳନା କରିବା ସହ ସ୍ୱାସ୍ଥ୍ୟ ମିଶନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

23
1035 views

Comment