logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଶିକ୍ଷାର ବିକାଶ ପାଇଁ ଜିଲ୍ଲାପାଳଙ୍କ ମାଷ୍ଟର ପ୍ଲାନ୍* *ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ ସହ ଭିତ୍ତିଭୂମିର ସମୀକ୍ଷା*

*ମାଲକାନଗିରିରେ ଶିକ୍ଷାର ବିକାଶ ପାଇଁ ଜିଲ୍ଲାପାଳଙ୍କ ମାଷ୍ଟର ପ୍ଲାନ୍*

*ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ ସହ ଭିତ୍ତିଭୂମିର ସମୀକ୍ଷା*


*ମାଲକାନଗିରି,୧୮/୪/୨୬:*

ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ଉଚ୍ଚକୋଟୀର ଶିକ୍ଷା ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ। ଶିକ୍ଷାର ମାନ ବୃଦ୍ଧି ଏବଂ ଭିତ୍ତିଭୂମିର କାୟାକଳ୍ପ ପାଇଁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସେଠାକାର ଶିକ୍ଷାଦାନ ପଦ୍ଧତି ଓ ବିଦ୍ୟାଳୟର ସାମଗ୍ରିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଏବଂ ରୂପାନ୍ତରଣ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ବା କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ନିଜ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରତିଟି ବିଭାଗକୁ ବୁଲି ଦେଖିବା ସହ ପିଲାମାନେ କିଭଳି ପାରମ୍ପରିକ ପଦ୍ଧତିରୁ ଊର୍ଦ୍ଧ୍ୱକୁ ଯାଇ ଆଧୁନିକ ତଥା ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ, ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି। ପାଠପଢ଼ାର ମାନକୁ କିଭଳି ଜାତୀୟ ସ୍ତରର ବିଦ୍ୟାଳୟ ସହ ସମାନ କରାଯାଇପାରିବ, ସେ ନେଇ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ଓ ଶିକ୍ଷକମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବିଦ୍ୟାଳୟ ପରିସରରେ ଥିବା ଆବାସିକ ସୁବିଧା, ପାନୀୟ ଜଳ, ପରିମଳ ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ସେ ପ୍ରକଳ୍ପ ପ୍ରଶାସକଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି।ଏହି ସମୀକ୍ଷା କାଳରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ଉପସ୍ଥିତ ରହି ବିଦ୍ୟାଳୟର ସମ୍ପ୍ରସାରଣ ଓ ଆବଶ୍ୟକୀୟ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପିଲାମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଦୁର୍ଗମ ଅଞ୍ଚଳର ଏହି ଶିକ୍ଷାନୁଷ୍ଠାନକୁ ଜିଲ୍ଲାର ଏକ ମଡେଲ ସ୍କୁଲ ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ଆର୍ଥିକ ଓ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

0
0 views

Comment