ପଞ୍ଚମ ଶ୍ରେଣୀ ‘ଭାଷା ମହକ’ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ
ଦେବଗଡ଼: ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପ୍ରଧାନପାଟ ଜଳପ୍ରପାତ ଓଡିଶା ସହ ରାଜ୍ୟ ବାହାରେ ମଧ୍ୟ ସୁପରିଚିତ ଓ ଲୋକପ୍ରିୟତା ଅର୍ଜନ କରିଛି। ଏବେ ଏହି ପ୍ରସିଦ୍ଧ ଜଳପ୍ରପାତ ପଞ୍ଚମ ଶ୍ରେଣୀର ‘ଭାଷା ମହକ’ ପାଠ୍ୟପୁସ୍ତକରେ ସ୍ଥାନ ପାଇବା ଦ୍ୱାରା ଏହାର ଗୌରବ ଆହୁରି ବୃଦ୍ଧି ପାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପାଠ୍ୟବସ୍ତୁରେ ପ୍ରଧାନପାଟ ଜଳପ୍ରପାତର ବିଶେଷତା ସହିତ ସଂପୃକ୍ତ ବିଭିନ୍ନ ଲୋକକଥାକୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର୍ଥ ସହଜ ଭାବରେ ଉପସ୍ଥାପିତ କରାଯାଇଛି।
ସହରକୁ ଲାଗିଥିବା ପାହାଡ଼ର ଉଚ୍ଚ ଶୃଙ୍ଗରୁ ସପ୍ତକୁଣ୍ଡ ମାଧ୍ୟମରେ ବହିଆସୁଥିବା ପ୍ରଧାନପାଟର ଜଳଧାରା ଦୃଶ୍ୟତାରେ ଅତ୍ୟନ୍ତ ଆକର୍ଷଣୀୟ। ଏହା ସହିତ ପ୍ରଧାନପାଟ ପାଦଦେଶରେ ଅବସ୍ଥିତ ‘ବସନ୍ତ ନିବାସ’ ଓ ‘ଲଳିତ ନିବାସ’ ନାମକ ଦୁଇଟି ରମଣୀୟ ଶୈଳନିବାସ ବିଷୟରେ ମଧ୍ୟ ଏହି ପାଠ୍ୟରେ ଉଲ୍ଲେଖ ରହିଛି।
ଇତିହାସ ଅନୁଯାୟୀ, ରାଜା ବାସୁଦେବ ସୁଢଳଦେବ ଓ ରାଜା ସଚ୍ଚିତାନନ୍ଦ ତ୍ରିଭୁବନ ଦେବଙ୍କ ଶାସନକାଳରେ ବହୁ ବିଶିଷ୍ଟ କବିମାନେ ଏହି ସ୍ଥାନକୁ ଆସି ସାହିତ୍ୟ ଚର୍ଚ୍ଚା କରୁଥିଲେ। ଆଜିବି ‘ବସନ୍ତ ନିବାସ’ର କାନ୍ଥରେ ସେହି କବିମାନଙ୍କ ଲେଖା ଖୋଦିତ ଅବସ୍ଥାରେ ଦେଖିବାକୁ ମିଳେ।
ଏହା ସହିତ ମା’ ପଧାନୀ ବୁଢ଼ୀଙ୍କ ଦୈବୀ ଶକ୍ତିପୀଠ, ପଞ୍ଚଖଣ୍ଡା ଶକ୍ତିପୀଠ ଏବଂ ଭୁବନେଶ୍ୱରରୁ କିପରି ଦେବଗଡ଼ ପହଞ୍ଚି ପ୍ରଧାନପାଟ ଭ୍ରମଣ କରାଯାଇପାରିବ—ସେସବୁ ସୂଚନା ମଧ୍ୟ ଏହି ପାଠ୍ୟରେ ସମ୍ମିଳିତ ହୋଇଛି।
ଏହି ପାଠ୍ୟବସ୍ତୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲାର ଐତିହ୍ୟ, ପର୍ଯ୍ୟଟନ ଓ ସଂସ୍କୃତି ସମ୍ପର୍କରେ ଜ୍ଞାନ ଦେବାରେ ଏକ ମୂଲ୍ୟବାନ ପଦକ୍ଷେପ ବୋଲି ମନେ କରାଯାଉଛି।