logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ। ଲେଖକ- ଘନଶ୍ୟାମ ପଲେଇ

ଭାଗ- ୧୯
ଧୂର୍ତ୍ତ ବିଚିତ୍ରାନନ୍ଦଙ୍କ କାର୍ଯ୍ୟକଳାପ ଅତି ବିଚିତ୍ର ଥିଲା। ଧରଣୀଧର ବାବୁ ସବ୍‍ ଓଭର ସିଅର ପଦରୁ ବହିଷ୍କାର ହେଲେ ସେହି କାର୍ଯ୍ୟରେ ତାଙ୍କୁ ନିଯୁକ୍ତ କରାଯିବ.... ବୋଲି ଦେବ ମାଷ୍ଟରଙ୍କୁ କହି ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ।
ଏହି ଦେବ ପ୍ରଧାନଙ୍କ ଘର କୁସୁମିତା ଗ୍ରାମରେ ହିଁ। ସେ ଜାତିରେ ମାଳ ଭୂୟାଁ। ସେ ଧରଣୀଧରଙ୍କ ପ୍ରାଥମିକ ସହପାଠୀ ଓ ସମ- ବୟସ୍କ। ରାଜଜେମାଙ୍କ ଗୃହ ଶିକ୍ଷକ ଆବଶ୍ୟକ ହେବାରୁ ମହାରାଣୀଙ୍କ ଆଦେଶରେ ଧରଣୀଧର ବାବୁ ନିଜ ଗ୍ରାମରୁ ତାଙ୍କୁ ଅଣାଇ ଶିକ୍ଷକ କର୍ମରେ ୪ ରୁ ୭ଟଙ୍କା ଦରମାରେ ନିଯୁକ୍ତି କରାଇଥିଲେ।
ଦିନେ ସେ ରାଜଜେମାଙ୍କୁ ପାଠ ଅଭ୍ୟାସ କରାଇଲା ବେଳେ କେମିତି କ’ଣ ଦି’ ପାହାର ଦେଲେ ଯେ... ରାଜଜେମାଙ୍କର ଗାଲ ଫୁଲିଗଲା। ଆଖି ପାଖଟା ପଚା ପଡି... ଲାଲ ଲାଲ ଦିଶିଲା। ମହାରାଣୀ କୋପାନ୍ୱିତ ହୋଇ ତାଙ୍କୁ ଦଣ୍ଡ ଦିଆଯିବା ପାଇଁ ସ୍ଥିର କରିଥିଲେ। ଧରଣୀବାବୁ ବିଶଲ୍ୟକରଣୀ ଲଗାଇ ରାଜଜେମାଙ୍କ ଆଖି ପାଖଟା ଭଲ କରିଦେଲେ। ମହାରାଣୀଙ୍କୁ କୁହାବୋଲା କରି ଆସନ୍ନ ବିପଦରୁ ରକ୍ଷା କରିଥିଲେ। ସେହି ଦେବ ମାଷ୍ଟର ଆଜି ଧରଣୀଧର ବାବୁଙ୍କ ନାମରେ ଘୋର ମିଥ୍ୟା ସାକ୍ଷୀ ଦେବାକୁ କୁଣ୍ଠିତ ହେଲା ନାହିଁ।

ମହାରାଜା ନିଜେ ଦେବ ମାଷ୍ଟରଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କଲାବେଳେ ବିଚିତ୍ରାନନ୍ଦ ଦାସଙ୍କ କୁଶିକ୍ଷା ମତେ ଧରଣୀଧର ବାବୁଙ୍କ ବିରୁଦ୍ଧରେ ଅନର୍ଗଳ କହିଗଲେ।

ଧରଣୀଧର ବାବୁ ଏଭଳି କଥା କହିଥିବେ ମହାରାଜା କାଇଁ ପରତେ ଗଲେ ନାହିଁ । ତାଙ୍କ କଥାରେ ମହାରାଜାଙ୍କ ବିଶ୍ୱାସ ନ ହେବାରୁ ଦେବ ମାଷ୍ଟର ଆଖି ଛୁଇଁ ଏହା ସତ ବୋଲି ଶପଥ କଲା। ଏହା ଶୁଣି ମାହାରାଜାଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗି ଗଲା। ସେ ଧରଣୀଧର ବାବୁଙ୍କ ଉପରେ ଖପା ହେଇଗଲେ। ସେ ବିତସ୍ପୃହ ହୋଇ ଧରଣୀଧରଙ୍କ ନାମରେ ଧୃତ ପରବାନା ଜାରି କରିବା ପାଇଁ ଆଦେଶ ଦେଲେ। ସେଇ ଦେବ ମାଷ୍ଟରଙ୍କ ଭାଇ ଚନ୍ଦ୍ରଶେଖର ପ୍ରଧାନ ପୋଲିସ ରାଇଟର କର୍ମରେ ନିଯୁକ୍ତ ଥିଲେ... ସେ ଧରଣୀଧର ବାବୁଙ୍କ ନାମରେ ଧୃତ ପରବାନା ଲେଖିଥିଲେ।

ଧରଣୀଧର ବାବୁ ମାତ୍ର ଆଠ ଦିନ ପଦ୍ମପୁର ଭଉଣୀ ଘରେ ରହିଥିଲେ। ଏ ମଧ୍ୟରେ କେତେ କାଣ୍ଡ ଘଟିଗଲାଣି। କିନ୍ତୁ ଏ ବିଷୟରେ ସେ ବିନ୍ଦୁ ବିସର୍ଗ ଜାଣି ନଥିଲେ। ସେ ଭିଣୋଇ ନରେନ୍ଦ୍ର ମହାପାତ୍ରଙ୍କ ଠାରୁ ବିଦାୟ ନେଇ କେନ୍ଦୁଝର ଗଡ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ତାଙ୍କ ନାମରେ ଯେ ଗିରପ୍ତାର ପରବାନା ଜାରି ହୋଇଛି, ତାହା ସେ ଜାଣି ପାରି ନଥିଲେ।
କ୍ରମଶଃ ପଢିବାକୁ ପାଇବେ....
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500
(ଯଦି ଆପଣ ନୂଆ ଆଉ ଏହାର ପୂର୍ବ ଭାଗ ପଢିବାକୁ ଚାହାଁନ୍ତି... ଦୟାକରି ମୋ ଫେସବୁକ୍ ପେଜକୁ ଯାଆନ୍ତୁ)

12
618 views

Comment