ଛେଳି ଚୋରି ଘଟଣାରେ ୩ ଗିରଫ, ପିସ୍ତଲ ଓ ଗୁଳି ଜବତ; ଗ୍ରାମବାସୀଙ୍କ ସାହସିକ ପଦକ୍ଷେପ
ମାଲକାନଗିରି,(୧୬/୦୪):
ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ପୁଲିସ ଏକ ଛେଳି ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏମଭି-୧୧୩ ଗ୍ରାମର ସୁଜୟ ମଣ୍ଡଳ ଏବଂ ଏମପିଭି-୪୫ ଗ୍ରାମର ରାହୁଲ ଶିକାରୀ ଓ ପୁର୍ଣ୍ଣେନ୍ଦୁ ମଣ୍ଡଲ।
ପୁଲିସ ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ୬ ଜଣ ଚୋର ଦଳ ଗିରକାନପାଲୀ ଓ ଉଦୟଗିରି ଅଞ୍ଚଳରୁ ୩ଟି ଛେଳି ଚୋରି କରିଥିଲେ। ଏହି ଘଟଣା ପ୍ରକାଶ ପାଇବା ପରେ ଗିରକାନପାଲୀ ସହିତ ପାଖପାଖି ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ଚୋରମାନଙ୍କୁ ପିଛା କରିଥିଲେ। ଚୋର ଦଳ ତାମନପାଲୀ ପାହାଡ଼ ନିକଟରେ ଲୁଚିଥିବା ବେଳେ ଗ୍ରାମବାସୀଙ୍କ ସହିତ ସେମାନଙ୍କର ସମ୍ମୁଖୀନ ହୋଇଥିଲା।
ଏହି ସମୟରେ ଚୋରମାନେ ଗ୍ରାମବାସୀଙ୍କ ଉପରକୁ ପିସ୍ତଲରୁ ଗୁଳି ଚାଲାଇ ଖସିବାକୁ ଚେଷ୍ଟା କରିଥିଲେ। ଗୁଳି ଲାଗି ଜଣେ ଗ୍ରାମବାସୀ ଆହତ ହୋଇଥିଲେ। ତଥାପି ଗ୍ରାମବାସୀମାନେ ଧୃତି ହରାଇନଥିବାରୁ ଦୁଇ ଜଣ ଚୋରଙ୍କୁ କାବୁ କରି ନିର୍ଧୂମ ପିଟିଥିଲେ, ସେଥିରେ ସେମାନେ ଗୁରୁତର ଆହତ ହୋଇଥିଲେ। ଅନ୍ୟ ଅଭିଯୁକ୍ତମାନେ ଏଥିରୁ ପଳାଇବାରେ ସଫଳ ହୋଇଥିଲେ।
ଘଟଣାସ୍ଥଳରୁ ୩ଟି ଛେଳି ମଧ୍ୟରୁ ଗୋଟିଏକୁ ପୁଲିସ ଉଦ୍ଧାର କରି ଗ୍ରାମବାସୀଙ୍କୁ ଫେରାଇଦେଇଥିବା ବେଳେ ଅନ୍ୟ ଦୁଇଟି ଛେଳି ଖସି ପଳାଇଥିଲେ। ଏମଭି-୭୯ ଥାନା ଅଧିକାରୀ ପୂର୍ଣ୍ଣିମା ଟେଟେ ଓ ଏସଆଇ ଚନ୍ଦନ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଦୁଇ ଆହତ ଚୋରଙ୍କୁ ଧରିଥିଲା ଓ ପରେ ଆଉ ଜଣକୁ ଗିରଫ କରିଥିଲା।
ଏହି ଘଟଣାକୁ ନେଇ ଏମଭି-୭୯ ଥାନାରେ ମାମଲା ନମ୍ବର ୫୮/୨୬ ରୁଜୁ କରାଯାଇ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।