logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂର୍ତ୍ତ ବିଭାଗରେ କୋଟି କୋଟି ଟଙ୍କାର ମଧୁଚନ୍ଦ୍ରିକା

ବରଗଡ଼ ପୂର୍ତ୍ତ ବିଭାଗରେ ଦୁର୍ନୀତିର ଚେର ଏବେ ବହୁତ ଗଭୀରକୁ ଯାଇଥିବା ଅଭିଯୋଗ ହେଉଛି। ବରପାଲି ତୋରଣ ହେଉ କିମ୍ବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପରିଚୟ ବହନ କରୁଥିବା ତୋରଣ, ସବୁଠି ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଦେଖିବାକୁ ମିଳିଛି। ଆର୍‌ଟିଆଇ (RTI) ତଥ୍ୟରୁ ମିଳିଥିବା ସାଂଘାତିକ ସୂଚନା ଅନୁସାରେ, ଲୋକଙ୍କ ଆଖିରେ ଧୂଳି ଦେବା ପାଇଁ ଜଣେ ମାତ୍ର ପ୍ରଭାବଶାଳୀ ଠିକାଦାରଙ୍କୁ ଭିନ୍ନ ଭିନ୍ନ ପାଞ୍ଚଟି ନାମରେ କାର୍ଯ୍ୟାଦେଶ ଦିଆଯାଇଛି।
ତଥ୍ୟ ଅନୁସାରେ, ଅମ୍ବାପାଲି ତୋରଣ କାର୍ଯ୍ୟ ମମତା ପାତ୍ରଙ୍କ ନାମରେ ରହିଥିବା ବେଳେ, ଲେଡ଼େନ ରାସ୍ତା ତୋରଣ ଶେଷଦେବ ପାତ୍ର ଓ ରଶ୍ମିତା ପାତ୍ରଙ୍କ ନାମରେ ରହିଛି। ସେହିଭଳି ଅଜିତ ସାହୁ ଓ ଜଗନ୍ନାଥ ସାହୁଙ୍କ ନାମରେ ମଧ୍ୟ କିଛି ଅଂଶ ବଣ୍ଟାଯାଇଛି। କିନ୍ତୁ ଅଭିଯୋଗ ହେଉଛି ଯେ, ଏହି ୫ଟି ଯାକ ନାମ ପଛରେ ଜଣେ ହିଁ ବ୍ୟକ୍ତି ବା ଗୋଟିଏ ଏଜେନ୍ସି ରହିଛି। ଟେଣ୍ଡର ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ଗୋଟିଏ କାମକୁ ଶହେରୁ ଅଧିକ ଭାଗରେ ବିଭକ୍ତ କରି ଶହେରୁ ଅଧିକ ବିଲ୍ ପ୍ରସ୍ତୁତ କରାଯାଇଛି।
ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କହିବା ଅନୁସାରେ, ୮ଟି ତୋରଣ ପାଇଁ ପ୍ରାୟ ୬ ରୁ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଧନୁଯାତ୍ରା ପୂର୍ବରୁ କାମ ସାରିବା ପାଇଁ ଚାପ ଥିବାରୁ ଏହାକୁ ଜରୁରୀକାଳୀନ ଭିତ୍ତିରେ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଧନୁଯାତ୍ରା ପାଇଁ ବର୍ଷେ ସମୟ ଥିବା ବେଳେ ବିଭାଗ ଉପରେ ଏହି ଚାପ ପକାଉଥିଲା କିଏ?
ଏହି ଘଟଣାରେ ସାମାଜିକ କର୍ମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆର୍‌ଟିଆଇରେ ଟେଣ୍ଡର ତାରିଖ ଓ ସଂଖ୍ୟା ଦିଆଯାଇଥିଲେ ମଧ୍ୟ ନୋଟିସ ଦିଆଯାଇ ନାହିଁ, ଯାହା ସୂଚନା ଅଧିକାର ଆଇନର ସୁଷ୍ଟ ଉଲ୍ଲଂଘନ। ଜିଲ୍ଲାପାଳଙ୍କ ମାସିକ ସମୀକ୍ଷା ସତ୍ତ୍ୱେ ଏତେ ବଡ଼ ଦୁର୍ନୀତି କିଭଳି ଚାଲିଥିଲା, ତାହାକୁ ନେଇ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ମାମଲା ହାଇକୋର୍ଟକୁ ଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

34
1061 views

Comment