ଖଲଣା ରେ କଣ୍ଟାଫୋଡ଼ା ଯାତ୍ରା: ଶୁଭ କଳସ ଗୋଟିଏ ବର୍ଷ ମାଟି ତଳେ ରହେ!
ଖଲଣା ରେ କଣ୍ଟାଫୋଡ଼ା ଯାତ୍ରା: ଶୁଭ କଳସ ଗୋଟିଏ ବର୍ଷ ମାଟି ତଳେ ରହେ!
ଆନନ୍ଦପୁର, ୧୫।୦୪ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖଲଣା ଗ୍ରାମରେ ପାଳିତ ହେଉଥିବା କଣ୍ଟାଫୋଡ଼ା ଯାତ୍ରା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ। ପଣା ସଂକ୍ରାନ୍ତି ଅବସରରେ ମା' ମଙ୍ଗଳାଙ୍କ ପୀଠରେ ଏହି ପାରମ୍ପରିକ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାଚୀନ କାଳରୁ ଚାଲିଆସୁଥିବା ଏହି ଯାତ୍ରା ଲୋକମାନଙ୍କ ଦେବଦେବୀଙ୍କ ପ୍ରତି ଅଟୁତ ବିଶ୍ୱାସ ଓ ଭକ୍ତିର ଏକ ଜୀବନ୍ତ ଉଦାହରଣ। ପୂର୍ବଦିନ ବିଷୁଣି ଓଷା ପାଳନ ପରେ ସଂକ୍ରାନ୍ତି ଦିନ ଶ୍ରଦ୍ଧାଳୁମାନେ ଉପବାସ ରଖି ପରିବାର ଓ ଅଞ୍ଚଳର ମଙ୍ଗଳ କାମନା କରିଥାନ୍ତି। ସକାଳୁ ଦେହୁରୀ କୈଳାଶ ପ୍ରଧାନ ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଭକ୍ତମାନେ ମା'ଙ୍କ ଦର୍ଶନ କରି ଭୋଗ ଲଗାଇଥାନ୍ତି। ମା' କାଳିସୀ ରୂପରେ ଆବିର୍ଭାବ ହୋଇ ଭକ୍ତମାନଙ୍କ ସମସ୍ୟାର ସମାଧାନର ପଥ ପ୍ରଦର୍ଶନ କରୁଥିବା ବିଶ୍ୱାସ ରହିଛି। ଏହି ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ହେଉଛି କଣ୍ଟାଫୋଡ଼ା ପର୍ବ। ପାଟୁଆମାନେ ବିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ଦିନବେଳେ ଜିଭରେ ଓ ରାତିରେ ପିଠିରେ କଣ୍ଟା ଫୋଡ଼ି ଗ୍ରାମ ପରିକ୍ରମା କରିଥାନ୍ତି, ଯାହା ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥାଏ। ଏଥିସହିତ ତିନି ଦିନ ଧରି ସନ୍ଧ୍ୟା ସମୟରେ ଭକ୍ତମାନେ କଳସ ଧରି ଗ୍ରାମ ପରିକ୍ରମା କରିଥାନ୍ତି। ସଂକ୍ରାନ୍ତି ରାତିରେ ଏହି କଳସକୁ ପୂଜାର୍ଚ୍ଚନା କରିବା ପରେ ମାଟି ତଳେ ପୋତି ଦିଆଯାଏ, ଯାହା ପୂରା ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେହିଭଳି ରହିଥାଏ। ମା' ମଙ୍ଗଳାଙ୍କ ପ୍ରତି ଗ୍ରାମବାସୀଙ୍କ ଗଭୀର ବିଶ୍ୱାସ ଓ ଆସ୍ଥା ରହିଥିବା ବେଳେ ମାନସିକ ମନସ୍କାମନା ପୂରଣ ହେଉଥିବା ବିଶ୍ୱାସ ମଧ୍ୟ ରହିଛି। ଏହି ପର୍ବ ଅବସରରେ ସମଗ୍ର ଗ୍ରାମରେ ଭକ୍ତିମୟ, ଶାନ୍ତିମୟ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।