ବୈତରଣୀରୁ ବେଧଡ଼କ ବାଲି ଚୋରି: ପ୍ରଶାସନର ନୀରବତାକୁ ନେଇ ଜନଅସନ୍ତୋଷ
ଚମ୍ପୁଆ, ୧୫ / ୪ : ଚମ୍ପୁଆ ବ୍ଲକ ଉଚ୍ଚବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳ ଗୋଡା ଗ୍ରାମ ଦେଇ ବହିଯାଉଥିବା ପବିତ୍ର ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ପ୍ରତ୍ୟେକ ଦିନ ଦିନ ଦ୍ୱିପ୍ରହରରେ ଶହ ଶହ ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବେ ବାଲି ଚୋରି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ରେଙ୍ଗାଳ ଗୋଡାରେ ମାଫିଆମାନେ ଗ୍ରାମ୍ୟ ଜଙ୍ଗଲକୁ କାଟି ରାସ୍ତା କରି ନଦୀ ପଠାରେ ମେସିନ ସାହାଯ୍ୟରେ ପ୍ରାୟ ଦଶ ପନ୍ଦର ଫୁଟ ମାଟି କାଟି ନଦୀ ଭିତରକୁ ସୁଡ଼ଙ୍ଗ ରାସ୍ତା ନିର୍ମାଣ କରି ଚୋରା ବାଲି ଉଠାଉଛନ୍ତି। ଏହି ବାଲିକୁ ବିଭିନ୍ନ ଅଲଗା ଅଲଗା ସ୍ଥାନରେ ଗଛିତ କରି ରାତିରେ ହାଇୱା ଯୋଗେ ବାହାରକୁ ଚାଲାଣ କରୁଥିବା ଜଣାଯାଇଛି। ନଦୀପଠାରୁ କୌଣସି ଆଇନଗତ ଅନୁମତି ନଥାଇ ଦୈନିକ ବିପୁଳ ପରିମାଣର ବାଲି ଚୋରା ଚାଲାଣ କରାଯାଉଛି। ଅତ୍ୟଧିକ ବାଲି ଉତ୍ତୋଳନ ଯୋଗୁଁ ନଦୀର ସ୍ୱାଭାବିକ ଗତିପଥ ପରିବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଛି। ଜଳସ୍ତର କମି କମି ଯାଉଛି, ଫଳରେ କୃଷି କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଭାରୀଯାନ ଓ ଟ୍ରାକ୍ଟର ଚଳାଚଳ ଯୋଗୁଁ ଗ୍ରାମ୍ୟ ରାସ୍ତାଗୁଡ଼ିକ ଶୋଚନୀୟ ହୋଇପଡ଼ିଛି। ସରକାରୀ ନିୟମକୁ ବେଖାତିର କରି ବାଲି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରୁଛନ୍ତି। ଏହି ବେଆଇନ କାରବାର ବିଷୟରେ ସ୍ଥାନୀୟ ଖଣି ବିଭାଗ, ତହସିଲ ଓ ପୋଲିସ ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସରକାରଙ୍କ ନୀତି ନିୟମ ଅନୁସାରେ ଟେଣ୍ଡର ପ୍ରକିୟାରେ ସ୍ୱଛତାର ସହିତ ବାଲି ଉଠେଇବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ପ୍ରସ୍ତାବ ଦେବା ସହିତ ବେନିୟମ ଭାବେ ଚୋରା ବାଲି ଚାଲାଣରେ ରୋକ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିମନ୍ତେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବା କୁହାଯାଉଛି । ଯଦି ତୁରନ୍ତ ଏହି ଚୋରା ବାଲି ଚାଲାଣ ବନ୍ଦ କରା ନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷେ, ପ୍ରଶାସନର ଏହି "ଚୁପ୍" ରହିବା ପଛରେ ବାଲି ମାଫିଆଙ୍କ ସହ କୌଣସି ଅସାଧୁ ମଧୁଚନ୍ଦ୍ରିକା ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଗତ ଶନିବାର ରାତିରେ ରେଙ୍ଗାଳଗୋଡ଼ା ବଣସାହି (ଜଙ୍ଗଲ ସାହି )ରେ ଥିବା ଗ୍ରାମକୁ ସଂଯୋଗ ହୋଇଥିବା ଇଲେକ୍ଟ୍ରି ଖୁଣ୍ଟ ମାଫିଆଙ୍କ ହାଇୱା ଧକ୍କାରେ ଭାଙ୍ଗି ତଳେ ପଡିଯିବା ପରେ ଚବିଶ ଘଣ୍ଟା ଭିତରେ ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ ଖୁଣ୍ଟ ପୋତି ତାର ଟାଣି ଦିଆଯାଇଛି । ଜଣେ ସାଧାରଣ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ଖୁଣ୍ଟ କିମ୍ବା ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କଲେ ମାସ ମାସ ଅପେକ୍ଷା କରିବାକୁ ପଡୁଥିବା ବେଳେ ବାଲି ମାଫିଆ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେବା ପରେ ବିଦ୍ୟୁତ ବିଭାଗର ଏହି ତରବରିଆ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରେଙ୍ଗାଳଗୋଡା ବଣ ସାହି ବିଦ୍ୟୁତ ବିଭାଗର ତୁରୁମୁଙ୍ଗା ଡିଭିଜନରେ ଯାଉଥିବା ବେଳେ ଏବେ ଏହି ତୁରମୁଙ୍ଗା ବିଦ୍ୟୁତ ବିଭାଗ ଯନ୍ତ୍ରୀ ଓ ବାଲି ମାଫିଆଙ୍କ ର ମଧ୍ୟ ସଲାସୁତରା ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଜେଇଙ୍କୁ ଯୋଗାଯୋଗ କରିବାରୁ ଖୁଣ୍ଟ ଭାଙ୍ଗିଛି ବୋଲି ଖବର ପାଇବା ପରେ ସଙ୍ଗେ ସଙ୍ଗେ ଖୁଣ୍ଟ ପୋତି ବିଦ୍ୟୁତ ସଂଯୋଗ ଦିଆ ଯାଇଛି ବୋଲି କହିଥିଲେ।