ପାଞ୍ଚପୋଖରୀଆ ଓ ଶିରପୁର ଛକରେ ମଦର ଆସର: ପ୍ରଶାସନ ନିରବ, ଅତିଷ୍ଠ ସ୍ଥାନୀୟ ବାସିନ୍ଦା
ଚମ୍ପୁଆ : - [୧୫/୦୪]
ରାଜ୍ୟରେ ନିଶା ମୁକ୍ତ ଅଭିଯାନ ଚାଲିଥିବା ବେଳେ ଚମ୍ପୁଆ ପାଞ୍ଚପୋଖରୀଆ ଏବଂ ଶିରପୁର ଛକ ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ବ୍ୟାପକ ଭାବେ ଦେଶୀ ମହୁଲୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଖୋଲାଖୋଲି ଭାବେ ଚାଲିଥିବା ଏହି ବେଆଇନ କାରବାର ଯୋଗୁଁ ସ୍ଥାନୀୟ ପରିବେଶ ନଷ୍ଟ ହେବା ସହ ସାଧାରଣ ଜନଜୀବନ ଅତିଷ୍ଠ ହୋଇପଡ଼ିଛି।
ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ସମସ୍ୟା ବାବଦରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ଅବକାରୀ ବିଭାଗ,ସ୍ଥାନୀୟ ପୋଲିସ,ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଧିକାରୀ ଓ ଉପଜିଲ୍ଲାପାଳ (Sub-Collector)ଏହି ସମସ୍ତ ବିଭାଗକୁ ଲିଖିତ ଓ ମୌଖିକ ଭାବେ ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ । ପ୍ରଶାସନର ଏଭଳି ନିରବତା ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବା ସହ ଅବକାରୀ ବିଭାଗ ଓ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବଢୁଛି ଅପରାଧିକ କାର୍ଯ୍ୟକଳାପ
ମଦ ବିକ୍ରି ଯୋଗୁଁ ସନ୍ଧ୍ୟା ହେଲେ ଛକ ଜାଗାମାନଙ୍କରେ ନିଶାଖୋରଙ୍କ ଆଡ୍ଡା ଜମୁଛି, ଯାହା ଫଳରେ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନେ ଯିବାଆସିବା କରିବାରେ ଭୟଭୀତ ହେଉଛନ୍ତି। ଏଥିସହ ଅଞ୍ଚଳରେ ଛୋଟବଡ଼ ଗଣ୍ଡଗୋଳ ଓ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଉଛି। ସ୍ଥାନୀୟ ବାସିନ୍ଦା କହିବା କଥା "ଆମେ ସବୁ ଅଫିସକୁ ଦୌଡ଼ି ଦୌଡ଼ି ହତାଶ ହୋଇଗଲୁଣି, ହେଲେ ମଦ ବିକ୍ରି ବନ୍ଦ ହେଉନାହିଁ । ଏହା କାହାର ଛତ୍ରଛାୟା ତଳେ ଚାଲିଛି?" ଜନସାଧାରଣଙ୍କ ଦାବି
ଯଦି ତୁରନ୍ତ ଏହି ବେଆଇନ ମଦ କାରବାର ଉପରେ ରୋକ୍ ନଲଗାଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜପଥକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି