logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଣାସଂକ୍ରାନ୍ତିରେ ମା' ତାରିଣୀ ଠାକୁରାଣୀଙ୍କ ସୁନାବେଶ ଦର୍ଶନ କଲେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଘଟଗାଁ:୧୪/୦୪(ସମ୍ବିତ କୁମାର ସାହୁ) - ଆଜି ପବିତ୍ର ପଣା ସଂକ୍ରାନ୍ତି। ଚଇତି ପର୍ବର ବିଶେଷ ଦିନ ଆଜି। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ପ୍ରତ୍ୟେକ ଓଡିଆଙ୍କ ହୃଦୟର ଠାକୁରାଣୀ ମା' ତାରିଣୀଙ୍କର ଚଇତି ପର୍ବର ୭ ଦିନ ମଧ୍ୟାରୁ ଆଜି ହେଉଛି ବିଶେଷ ଦିନ। ଆଜି ପ୍ରତ୍ୟୁଷରୁ ମା' ତାରିଣୀ ମନ୍ଦିରର ମୁଖ୍ୟ ପୂଜକ ଅନ୍ୟ ସହଯୋଗୀ ପୂଜକ ମାନଙ୍କ ସହିତ ବିଧି ଅନୁସାରେ ମା' ତାରିଣୀଙ୍କ ପୂଜାର୍ଚ୍ଚନାରେ ଲାଗି ରହିଥିବା ବେଳେ, ମନ୍ଦିର ବେଢ଼ାରେ ବ୍ରାହ୍ମଣ ସମାଜ ଦ୍ୱାରା ବ୍ରାହ୍ମ ମୁହୂର୍ତ୍ତରୁ ଦେବୀ ସ୍ତୁତି, ଚଣ୍ଡୀପାଠ, ଗୀତା ପାଠ, ଭାଗବତ ପାଠ ଆଦି କାର୍ଯକ୍ରମ ଚାଲୁ ରହିଛି ଏବଂ ପାଲା ମଣ୍ଡପରେ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ ହୋଇଛି। ଘଟଗାଁରେ ଆଜି ପଣା ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ, ମନ୍ଦିର ଟ୍ରଷ୍ଟ ଏବଂ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଅଂଶୁଘାତ ଆଦିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳିଛି।ମନ୍ଦିର ପରିସରରେ ସାଂସ୍କୃତିକ ମଣ୍ଡପରେ ସକାଳ ୯ ଘଟିବାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲିଥିବା ଅଖଣ୍ଡ ଭଜନ ସମାରୋହ ହଜାର ହଜାର ଦର୍ଶକ ଉପଭୋଗ କରିଛନ୍ତି।
ଗତ ଏପ୍ରିଲ ୧୧ ତାରିଖ ଶନିବାର ଦିନ ଠାରୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଜି ପୂର୍ବାହ୍ନରେ କେନ୍ଦୁଝରରୁ ହେଲିକପ୍ଟର ଦ୍ଵାରା ଘଟଗାଁ ଆସି ଘଟଗାଁ ଷ୍ଟାଡିୟମ ପରିସରସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସ୍ଥାନୀୟ ଜନସାଧାରଣଙ୍କ ସହ ସଡକ ପଥରେ ମା' ତାରିଣୀ ମନ୍ଦିର ଆସି ସେଠାରେ ମା ' ତାରିଣୀଙ୍କୁ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ପାଈଁ ଆଶିଷ ଭିକ୍ଷା କରିଥିଲେ। ପୁଣି ସେଠାରୁ ସଡ଼କ ପଥରେ ହେଲିପ୍ୟାଡ ପର୍ଯ୍ୟନ୍ତ ଆସି ସେଠାରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରି ଯାଇଛନ୍ତି।
ଘଟଗାଁରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଥଣ୍ଡା ପାନୀୟ, ପଣା ଓ ପ୍ରାସାଦ ବିତରଣ ବିଭିନ୍ନ ବ୍ୟକ୍ତି, ସଂସ୍ଥା ଏବଂ ସଂଗଠନ ପକ୍ଷରୁ କରାଯାଉଥିବା ବେଳେ, ମନ୍ଦିର ପ୍ରାଙ୍ଗଣରେ କେନ୍ଦୁଝର ସହରର ମା' ତାରିଣୀ ସେବା ସମିତି ପକ୍ଷରୁ ଅନ୍ନ ପ୍ରସାଦ ପୂର୍ବାହ୍ନରୁ ବିତରଣ କରାଯାଉଛି। ପାଲା ମଣ୍ଡପରେ ଆଜି ସନ୍ଧ୍ୟା ୫ ଘଟିକାରୁ ଦାସକାଠିଆ ପରିବେଷଣ ହେଉଅଛି। ସେହିଭଳି ସଂଧ୍ୟା ୬.୩୦ ରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ହରିକଥା ସେବକ ବସନ୍ତ କୁମାର ବିଶୋଇଙ୍କ ଦ୍ଵାରା ଧର୍ମ ପ୍ରବଚନ ଏବଂ ରାତ୍ର ୯.୩୦ ଠାରୁ ପ୍ରାତଃ ୫ ଘଟିକା ପର୍ଯ୍ୟନ୍ତ ପାଲା ପରିବେଷଣ ହେବ ବୋଲି ମନ୍ଦିର ପ୍ରସାସନ ପକ୍ଷରୁ ଜଣାପଡିଛି

1
3820 views

Comment