logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ

ମାଲକାନଗିରିରେ ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ

ମାଲକାନଗିରି,୧୪/୪/୨୬:

ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଅବସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ବାବା ସାହେବ କେବଳ ସମ୍ବିଧାନର ପ୍ରଣେତା ନୁହନ୍ତି, ସେ ଥିଲେ କୋଟି କୋଟି ଶୋଷିତ ଓ ବଞ୍ଚିତଙ୍କ ଆଶାର କିରଣ। ତାଙ୍କ ଦର୍ଶାଯାଇଥିବା ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର ମନ୍ତ୍ରକୁ ପାଥେୟ କରି ଆମକୁ ଏକ ସମୃଦ୍ଧ ସମାଜ ଗଠନ କରିବାକୁ ହେବ।
ସତ୍ୟ ନାରାୟଣ କଲେଜ ଓ ଘଡ଼େଇ କଲେଜର ଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜୟଗାନ କରିଥିଲେ।
ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ କହିଥିଲେ ଯେ ବାବା ସାହେବଙ୍କ ଜୀବନୀ ଏକ ସଂଘର୍ଷ ଓ ସଫଳତାର କାହାଣୀ। ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଗଠନରେ ନିଜକୁ ନିୟୋଜିତ କରିବା ଉଚିତ। ଶିକ୍ଷା ହିଁ ସଶକ୍ତିକରଣର ଏକମାତ୍ର ମାଧ୍ୟମ। ସେହିପରି
ଉପ-ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ ସମ୍ବିଧାନ ପ୍ରଣେତାଙ୍କ ଦର୍ଶାଯାଇଥିବା ସମାନତା ଓ ନ୍ୟାୟର ପଥରେ ଚାଲିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଶୃଙ୍ଖଳିତ ଜୀବନ ଜରିଆରେ ହିଁ ଆମେ ବାବା ସାହେବଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇପାରିବା।
ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ପାଇଁ ଆମ୍ବେଦକରଙ୍କ ଚିନ୍ତାଧାରା ଆଜି ବି ପ୍ରାସଙ୍ଗିକ। ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହି ସମସ୍ତେ ଦେଶର ପ୍ରଗତିରେ ଭାଗିଦାର ହୁଅନ୍ତୁ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ମାଲକାନଗିରି ଆର୍ଟ୍ସ କଲେଜ, ଉଚ୍ଚ ମହିଳା ମାଧ୍ୟମିକ ବିଦ୍ୟାଳୟ ଓ ଘଡ଼େଇ କଲେଜର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଭାଗୀୟ କର୍ମଚାରୀ ହରେକୃଷ୍ଣ କୀର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

22
523 views

Comment