ମାଲକାନଗିରିରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା, ତୁରନ୍ତ ନିଯୁକ୍ତି ଦାବି
୧୩/୦୪/୨୦୨୬, ମାଲକାନଗିରି ଜିଲ୍ଲାର ଏମ୍ଭି–୭୨ ଗ୍ରାମରେ ଅବସ୍ଥିତ ବିବେକାନନ୍ଦ ବିଦ୍ୟା ପିଠ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗିରହିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅଭାବକୁ ନେଇ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିଲେ। ବିଦ୍ୟାଳୟର ମୁଖ୍ୟ ଦ୍ୱାର ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସି ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇଥିଲେ।
ବର୍ତ୍ତମାନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ, ଗେଷ୍ଟ ଶିକ୍ଷକ ଉମେଶ ଚନ୍ଦ୍ର ଓଝା ଓ ଶିକ୍ଷୟତ୍ରୀ ଶକୁନ୍ତଳା ଓଝା ମିଶି ମାତ୍ର ତିନିଜଣ ଶିକ୍ଷକ ରହିଛନ୍ତି। ଏହି ପରିସ୍ଥିତିରେ ପ୍ରାୟ ୧୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ତା ସହିତ ଆସନ୍ତା ୩୧ ତାରିଖରେ ପ୍ରଧାନ ଶିକ୍ଷକଙ୍କ ଅବସର ହେବାକୁ ଥିବାରୁ ସମସ୍ୟା ଆହୁରି ଗୁରୁତର ହେବ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି।
ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ଥିବା ସମୟରେ ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀମାନେ ଚିନ୍ତିତ ଅଟନ୍ତି। ଏହାକୁ ନେଇ ସେମାନେ ଜାତୀୟ ରାଜପଥ ୩୨୬ ପାର୍ଶ୍ୱରେ ଧାରଣାରେ ବସି ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନଜର ଆକର୍ଷଣ କରିଥିଲେ।
ଏହି ସମସ୍ୟାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ପୂର୍ବତନ ବିଧାୟକ ମାନସ ମାଡକାମୀ ସହ ବିଭିନ୍ନ ନେତାମାନେ ଯୋଗଦେଇ ତୁରନ୍ତ ଶିକ୍ଷକ ନିଯୁକ୍ତି ନ ହେଲେ ଆଗାମୀ ଦିନରେ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଥିଲେ।
ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଦାବିକୁ ସମର୍ଥନ କରି ସରକାରଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।