କୁଣ୍ଡାପିଠାରେ ଭକ୍ତ ହନୁମାନଜୀଙ୍କର ଜୟନ୍ତୀ ଉତ୍ସବ
କୁଣ୍ଡାପିଠା ହନୁମାନ ବାଟିକାରେ ହନୁମାନଜୀଙ୍କ ଚତୁର୍ଥ ବାର୍ଷିକ ଜୟନ୍ତୀ ଉତ୍ସବ
କେନ୍ଦୁଝର,୧୩/୪ : (ଚେତନା ମିଡ଼ିଆ) ଭାରତର ଆଧ୍ୟାତ୍ମିକ,ଦାର୍ଶନିକ ଓ ସାମାଜିକ ଦୃଷ୍ଟିକୋଣରୁ କାହିଁ କେତେ କାଳରୁ ମହା ବିଷୁବ ସଂକ୍ରାନ୍ତି ଓ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଜୀଙ୍କର ଜୟନ୍ତୀ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ରହିବା ସହ ଏହାର ମହତ୍ତ୍ୱ ରହିଛି । ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି ପାଳନର ପରମ୍ପରା ବହୁ ପ୍ରାଚୀନ ଓ ଗୌରବମୟ ଅଟେ ।ଓଡ଼ିଶାର ଆବାଳ ବୃଦ୍ଧ ବନିତା ଏହି ପୁଣ୍ୟ ତିଥିର ପ୍ରାତଃ କାଳରେ ସ୍ନାନ କରି ହର୍ଷ ଓ ଉଲ୍ଲାସରେ ସୂର୍ଯ୍ୟ ଅର୍ଘ୍ୟ ପ୍ରଦାନ କରିବା ପୂର୍ବକ ନିଜ ଘର ଅଗଣାର ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରାଯାଇ ମାସ ତମାମ ବସନ୍ତରା ଠେକି ବାନ୍ଧିଥାନ୍ତି । ପଣା ସଂକ୍ରାନ୍ତି ଓଡ଼ିଆଙ୍କ ପାଇଁ ନବ ବର୍ଷ।ଏହି ବିଷୁବ ସଂକ୍ରାନ୍ତି ଦିନକୁ ମଧ୍ୟ ହନୁମାନଙ୍କ ଜନ୍ମ ତିଥି ରୂପେ ପାଳନ କରାଯାଏ । ଏହି ଦିନ ଭକ୍ତ ହନୁମାନଙ୍କର ପୂଜାକଲେ ପ୍ରଭୁ ଶ୍ରୀରାମଙ୍କ କୃପା ଲାଭ ମିଳେ ବୋଲି ଶାସ୍ତ୍ରକାରଙ୍କ ମତ। ଏଣୁ ହନୁମାନ ମନ୍ଦିରରେ ହୋମଯଜ୍ଞ କର୍ମ ସହ ସୁନ୍ଦରା କାଣ୍ଡ ପଠନ ଓ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥାଏ ।ଏହି ମହାନ ଦିବସରୁ ଓଡ଼ିଶାରେ ନୂଆ ପାଞ୍ଜି ପ୍ରଚଳନ ହୁଏ । ସଂକ୍ରାନ୍ତି ଠାରୁ ତୁଳସୀ ଚଉରା,ସମାଧି, ବଟ ବୃକ୍ଷ ଓ ଅଶ୍ୱତ୍ଥ ବୃକ୍ଷରେ ବସନ୍ତରା ଠେକି ବାନ୍ଧି ଏକମାସ ପର୍ଯ୍ୟନ୍ତ ମନୁଷ୍ୟ ସହିତ ପଶୁପକ୍ଷୀ ଙ୍କୁ ଜଳ ଦାନ କରାଯାଏ ଏବଂ ଜଳ ଛତ୍ର ଖୋଲି ଜଳ ତଥା ପଣା ଦାନ କଲେ ପୂଣ୍ୟ ଫଳ ମିଳିଥାଏ।
ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକର କୁଣ୍ଡାପିଠା ହନୁମାନ ବାଟିକାରେ ଭକ୍ତ ଓ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ କ୍ରମେ ହନୁମାନଜୀଙ୍କ ଚତୁର୍ଥ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହେବାକୁ ଯାଉଅଛି ଏବଂ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ କୁଣ୍ଡାପଠା ହନୁମାନ ବାଟିକା ତରଫରୁ ଭକ୍ତ ମାନଙ୍କୁ ପଣା ସହ ପ୍ରସାଦ ବଣ୍ଟନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
--------------------------
ରିପୋର୍ଟ ବାବୁଲାଲ ପଲେଇ ଆଇମା ମିଡିଆ