ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ୫ ନେତାଙ୍କୁ ଜାମିନ- ଗ୍ରାମସଭା ଘଟଣା ପରେ ଗିରଫ, ମୁକ୍ତି ପରେ ସମ୍ବର୍ଦ୍ଧନା।
ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ୫ ନେତାଙ୍କୁ ଜାମିନ- ଗ୍ରାମସଭା ଘଟଣା ପରେ ଗିରଫ, ମୁକ୍ତି ପରେ ସମ୍ବର୍ଦ୍ଧନା।
ପାଟଣା, ୧୧/୦୪: ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ଗିରଫ ହୋଇଥିବା ୫ ଜଣ ନେତାଙ୍କୁ ଗତକାଲି ଜାମିନ ମିଳିଛି। ଗତ ମାର୍ଚ୍ଚ ୨୦ ତାରିଖରେ ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ପଞ୍ଚାୟତର ଧନୁର୍ଜୟପୁର ଗ୍ରାମସଭା ସମୟରେ ବିଶୁଙ୍ଖଳା ସୃଷ୍ଟି ହୋଇଥିବା ଅଭିଯୋଗରେ ପୋଲିସ ପ୍ରଥମେ କିଛି ନେତାଙ୍କୁ ଗିରଫ କରିଥିଲା। ପରେ ମାର୍ଚ୍ଚ ୩୧ ତାରିଖରେ ଆଉ ଜଣେ ନେତାଙ୍କୁ ତୁରୁମୁଙ୍ଗା ପୋଲିସ ଗିରଫ କରିଥିଲା। ଜାମିନରେ ମୁକ୍ତି ପାଇବା ପରେ ପ୍ରତିରୋଧ ମଞ୍ଚ ପକ୍ଷରୁ ସମସ୍ତ ୫ ଜଣ ନେତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଦାର ହୋଇଛି। ସୂଚନାଯୋଗ୍ୟ,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନାକୁ ନେଇ ଦୀର୍ଘଦିନ ଧରି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ବିରୋଧ ଜାରି ରହିଛି। ଗ୍ରାମବାସୀଙ୍କ ଜମି ଅଧିଗ୍ରହଣକୁ ବିରୋଧ କରି ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ, ଅନ୍ୟପଟେ ଚେମେଣା ପଞ୍ଚାୟତ ଅଧୀନ କିଛି ଗ୍ରାମରେ ପ୍ରକଳ୍ପକୁ ସମର୍ଥନ ମଧ୍ୟ ଦେଖିବାକୁ ମିଳୁଛି। ଏହି ପ୍ରକଳ୍ପକୁ ନେଇ ଅଞ୍ଚଳରେ ସମର୍ଥନ ଓ ବିରୋଧ ଦୁଇଟି ମତ ଦେଖାଯାଉଥିବା ବେଳେ, ପ୍ରତିରୋଧ ମଞ୍ଚ ପକ୍ଷରୁ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ସୂଚନା ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।