୯୦ତମ ଚଇତି ପର୍ବର ଚତୁର୍ଥ ଦିନରେ ସୁନାବେଶରେ ଝଳସୁଛନ୍ତି ମା' ତାରିଣୀ
ଘଟଗାଁ:୧୨/୦୪(ସମ୍ବିତ କୁମାର ସାହୁ) - ଓଡ଼ିଶା ପ୍ରସିଦ୍ଧ ତଥା କେନ୍ଦୁଝର ଜିଲ୍ଲାର ରାଷ୍ଟ୍ରଦେବୀ ପବିତ୍ର ଘଟଗାଁ ପୀଠର ମା' ତାରିଣୀ ଠାକୁରାଣୀ ଙ୍କର ଚଇତି ପର୍ବ ଗତ ଗୁରୁବାର ଠାରୁ ଆରମ୍ଭ ହୋଇ ଆଜି ଚତୁର୍ଥ ଦିବସରେ ପଦାର୍ପଣ କରିଛି। ପର୍ବର ବିଗତ ଦିନ ଗୁଡ଼ିକରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କର ପ୍ରବଳ ଗହଳି ଦେଖିକାକୁ ମିଳିଥିବା ବେଳେ, ଆଜି ମଧ୍ୟ ପର୍ବର ଚତୁର୍ଥ ଦିନରେ ପ୍ରଚଣ୍ଡ ରୌଦ୍ରତାପକୁ ଭ୍ରୂକ୍ଷେପ ନକରି ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଧାଇଁ ଆସିଛନ୍ତି ପର୍ବ ଆରମ୍ଭରୁ ସୁନାବେଶରେ ଦର୍ଶନ ଦେଉଥିବା ଜଗତଜନନୀ, ଦାରିଦ୍ର୍ୟଭଞ୍ଜନୀ, ଦୁଃଖ ବିନାସିନୀ, ବିଶ୍ଵ ମୋହିନୀ ମା' ତାରିଣୀ ଏଵଂ ତାଙ୍କର ଚଇତି ପର୍ବ ଦେଖି ନିଜ ନୟନ ଯୁଗଳକୁ ପବିତ୍ର କରିବା ପାଇଁ। ସୁନାବେଶରେ ମା' ଙ୍କର ପବିତ୍ର ବିଶ୍ଵମୋହିନୀ ରୂପକୁ ଦେଖି ଭକ୍ତ ଭାବବିହ୍ୱଳ ହୋଈ ପଡୁଛନ୍ତି।
ମା' ତାରିଣୀଙ୍କ ଚଇତି ପର୍ବ ପାଇଁ ପୂର୍ବ ଦିନ ଗୁଡ଼ିକ ଭଳି ଆଜି ମଧ୍ୟ ରାତିରୁ ଦୂର ଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ବାରିକେଡ ମଧ୍ୟରେ ଧାଡ଼ିରେ ମା' ଙ୍କ ଦର୍ଶନ ସକାଶେ ଅପେକ୍ଷା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ମା' ଙ୍କର ପୂଜାର୍ଚ୍ଚନା ଚାଲିଛି ଓ ଘଟଗାଁ ବ୍ରାହ୍ମଣ ସମାଜ ପକ୍ଷରୁ ଉତ୍ସବର ବିଗତ ଦିନ ଗୁଡ଼ିକ ଭଳି ବ୍ରାହ୍ମ ମୁହୂର୍ତ୍ତରୁ ଦେବୀ ସ୍ତୁତି, ଚଣ୍ଡୀ ପାଠ, ଗୀତା ପାଠ, ଭାଗବତ ପାଠ କରା ଯାଇଥିବା ବେଳେ, ପୁରୁଣା ବସଷ୍ଟାଣ୍ଡ ସ୍ଥିତ ପାଲା ମଣ୍ଡପରେ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଏଵଂ ଅସମ୍ଭବ ଭକ୍ତଙ୍କ ଗହଳି ଲାଗି ରହି ଥିବାରୁ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଉପରେ ସୁବାସିତ ଶୀତଳ ଜଳ ସିଞ୍ଚନ କରା ଯାଉଥିବା ଦେଖିବାକୁ ମିଳିଛି। ସେହିଭଳି ବିଭିନ୍ନ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ, ପଣା ଏଵଂ ପ୍ରସାଦ ବଣ୍ଟନ କରାଯାଉଥିବା ବେଳେ, ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନ ୧୦.୩୦ ଘଟିକାରୁ ସୁନ୍ଦରଗଡ଼ କୋଇଡା ଅଞ୍ଚଳର ଦିଲ୍ଲୀପ କୁମାର ଶର୍ମାଙ୍କ ପକ୍ଷରୁ ଅନ୍ନ ପ୍ରସାଦ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଉଛି।
ମନ୍ଦିର ପରିସରସ୍ଥ ସାଂସ୍କୃତିକ ମଣ୍ଡପରେ ଉତ୍ସନ ଆରମ୍ଭ ହେବାର ବିଗତ ଦିନ ଗୁଡ଼ିକ ଭଳି ପୂର୍ବାହ୍ନ ୯ ଘଟିକାରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରର ଶୁଭଶ୍ରୀ କଳା ନିକେତନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି ଓ ପୂର୍ବାହ୍ନ ୧୧.୪୫ ଠାରୁ ଅପରାହ୍ନ ୨.୩୦ ଯାଏ ସୌରଭ ଭରଦ୍ୱାଜ ଏଵଂ ଗ୍ରୁପ ଦ୍ଵାରା ଭଜନ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅପରାହ୍ନ ୩ ଘଟିବାରୁ ୫.୩୦ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର କୋଶଳ ଫକ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ସେହିପରି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ପାଲା ମଣ୍ଡପରେ ଉତ୍ସବର ପୂର୍ବ ଦିନ ଭଳି ସନ୍ଧ୍ୟା ୫ ଘଟିବାରୁ ୬.୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଗାୟକ ସୁଧାକର ବାଳକୃଷ୍ଣ ମିଶ୍ରଙ୍କ ଦ୍ଵାରା ଦାସକାଠିଆ ପରିବେଷଣ କରାଯିବ ଓ ସନ୍ଧ୍ୟା ୬.୩୦ ରୁ ୯.୩୦ ଯାଏ ଭୁବନେଶ୍ଵରର କୁନି ପ୍ରବଚକ ଦ୍ୱିତିକୃଷ୍ଣ କେଶବ ଦାଶ ଧର୍ମ ପ୍ରବଚନ ଦେବେ ଏବଂ ରାତ୍ର ୯.୩୦ ରୁ ପ୍ରାତଃ ୫ ଘଟିକା ପର୍ଯ୍ୟନ୍ତ ଗାୟକ ଯୁବଜ୍ୟୋତି ଧୀରେନ ମହାନ୍ତି ଏବଂ ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାସଙ୍କ ଦ୍ଵାରା ପାଲା ପରିବେଷିତ ହେବ।