ଭିଜିଲାନ୍ସ ଜାଲରେ,ଗୁଡ଼ାରି ବନ ରେଞ୍ଜ ଅଧିକାରୀ ୨.୩୩ ଲକ୍ଷ ଟଙ୍କା ଜବତ
ଭିଜିଲାନ୍ସ ଜାଲରେ,ଗୁଡ଼ାରି ବନ ରେଞ୍ଜ ଅଧିକାରୀ ୨.୩୩ ଲକ୍ଷ ଟଙ୍କା ଜବତ।
ରାୟଗଡ଼ା ଜିଲ୍ଲା ଗୁଡ଼ାରି ବନ ରେଞ୍ଜ ଅଧିକାରୀ ସୁକୁମାର ଦୁଖୁଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଦଳ ନବରଙ୍ଗପୁରର ଇନ୍ଦ୍ରାବତୀ ସେତୁ ନିକଟରେ ଚଢ଼ାଉ କରିଛି। ଚଢାଉରେ ତାଙ୍କ ଦଖଲରୁ ୨.୩୩ ଲକ୍ଷ ଟଙ୍କା ସନ୍ଦେହଜନକ ଅବୈଧ ନଗଦ ଉଦ୍ଧାର ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀ ଦୁଖୁ ଗୁଡ଼ାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଗୃହକୁ ସରକାରୀ ବୋଲେରୋ ଯାନ ପଞ୍ଜୀକୃତ ନଂ OD18K-7041 ରେ ଯାଉଥିଲେ। ସେହି ସମୟରେ ବିଶ୍ୱସ୍ତ ସୂଚନା ଆଧାରରେ ଭିଜିଲାନ୍ସ ଦଳ ତାଙ୍କୁ ଅଟକ କରି ତଦନ୍ତ କରିଥିଲେ। ତଦନ୍ତ ବେଳେ ଉଦ୍ଧାର ହୋଇଥିବା ଟଙ୍କା ସଂପର୍କରେ ଶ୍ରୀ ଦୁଖୁ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ସମୁଦାୟ ୨.୩୩ ଲକ୍ଷ ଟଙ୍କା ଓ ବୋଲେରୋ ଗାଡ଼ିଟି ଜବତ କରାଯାଇଛି।
ଏହି ଘଟଣା ପରେ ଅସଂଗତ ସମ୍ପଦ ମାମଲାରେ ଶ୍ରୀ ଦୁଖୁଙ୍କ ସହ ସଂଶ୍ଳିଷ୍ଟ ୩ ଟି ସ୍ଥାନରେ ଏକକାଳୀନ ଭାବେ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ଆଗକୁ ଅଧିକ ତଥ୍ୟ ମିଳିବ ବୋଲି ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।