ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତାର ଦ୍ୱିତୀୟ ଦିବସ: ରୋମାଞ୍ଚକ ଫୁଟବଲ୍ ମ୍ୟାଚ୍ ରେ ମା ମଙ୍ଗଳା ଓ ଜୟ ମା ଦୁର୍ଗାର ବିଜୟ
ଦେବଗଡ଼ ତା ୧୧/୦୪/୨୦୨୬ ରିଖ :-
ଦେବଗଡ଼ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍ ରେ ଚାଲିଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃ କ୍ଳବ୍ ଓ ଅନ୍ତଃ ଜିଲ୍ଲା ଖେଳ ପ୍ରତିଯୋଗିତା–୨୦୨୬ ର ଦ୍ୱିତୀୟ ଦିବସ ରେ ବିଭିନ୍ନ ଖେଳ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋ-ଖୋ, ଭଲିବଲ୍ ଓ କବାଡି ପ୍ରତିଯୋଗିତା ଚାଲିଛି।
ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର ଯୋଗଦେଇଥିବାବେଳେ, ବରୋଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦର ଅତିରିକ୍ତ କାର୍ଯ୍ୟ ଉନ୍ନୟନ ଅଧିକାରୀ ଦିଲୀପ କୁମାର ପ୍ରଧାନ, ବାରକୋଟ ବ୍ଲକ୍ ର ଅତିରିକ୍ତ ତହସିଲଦାର ୱାସିଂ ଅହମ୍ମଦ ଓ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଦ୍ୱିତୀୟ ଦିବସରେ ପ୍ରଥମେ ବାଳିକା ବିଭାଗର ଫୁଟବଲ୍ ମ୍ୟାଚ୍ ମା ମଙ୍ଗଳା ତିଲେଇବଣି ଓ ପ୍ରଧାନପାଟ କ୍ଳବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା। ଏହି ରୋମାଞ୍ଚକ ମ୍ୟାଚ୍ ରେ ମା ମଙ୍ଗଳା ତିଲେଇବଣି ୧-୦ ଗୋଲରେ ବିଜୟୀ ହୋଇଥିଲା। ପରବର୍ତ୍ତୀରେ ବାଳକ ବିଭାଗର ମ୍ୟାଚ୍ ଜୟ ମା ଦୁର୍ଗା କାଲକାଠ ଓ ରେଙ୍ଗାଲବେଡା ଏଫ୍.ସି. ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୟ ମା ଦୁର୍ଗା କାଲକାଠ ୧-୦ ଗୋଲରେ ବିଜୟ ହାସଲ କରିଥିଲା।
ଖେଳକୁ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଜିତ କିସାନ ପରିଚାଳନା କରିଥିବାବେଳେ, ମ୍ୟାଚ୍ କମିଶନର ଭାବେ ପ୍ରଜିତ କୁମାର ବେହେରା ଦାୟିତ୍ୱ ପାଳନ କରିଥିଲେ।
ଏହି ଅବସରରେ କ୍ରୀଡ଼ା ସଂସଦର ଉପସଭାପତି ସତ୍ୟନାରାୟଣ ମିଶ୍ର, ବିଭିନ୍ନ କ୍ରୀଡ଼ା ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ର-ଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ବ୍ୟାପକ ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।