ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ "ଜୀବନ ଜିଜ୍ଞାସା" ଜୀବନକୁ ଜୀଇଁବାର ପ୍ରକୃତ ରାହା ଦେଖାଇବ: ଜିଲ୍ଲାପାଳ, ଭଦ୍ରକ
ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ " ଜୀବନ ଜିଜ୍ଞାସା" ଜୀବନକୁ ଜୀଇଁବାର ପ୍ରକୃତ ରାହା ଦେଖାଇବ: ଜିଲ୍ଲାପାଳ, ଭଦ୍ରକ
-"ଜୀବନ ଜିଜ୍ଞାସା" ପୁସ୍ତକ ଲୋକାର୍ପିତ
- ଓଡ଼ିଆ ପକ୍ଷର ନବମ ଦିନର " ଆସ ଆମେ ବହିଟିଏ କିଣିବା" ଅଭିଯାନ କାର୍ଯ୍ୟକ୍ରମରେ ପଣ୍ଡିତଙ୍କ ରଚିତ ଏକ ନୂତନ ପୁସ୍ତକ ଉନ୍ମୋଚିତ
ଭଦ୍ରକ ୦୯/୦୪ (ଖଣ୍ଡାଧାର ନିଉଜ) "ଓଡ଼ିଆ ପକ୍ଷ-୨୦୨୬" ପାଳନର ନବମ ଦିବସରେ ‘ଆସ ବହିଟିଏ କିଣିବା’ ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଜୀବନରେ ବହିର ମହତ୍ତ୍ୱକୁ ସମ୍ମାନ ଜଣାଇବା,ବହିଟିଏ କିଣିବା,ପଢିବା ଓ ଜାଣିବାର ମହତ୍ତ୍ୱ ସମ୍ପର୍କରେ ବହୁ ଉପାଦେୟ ସମ୍ପର୍କରେ ବହୁମୂଲ୍ୟ ମତବ୍ୟକ୍ତ ପୂର୍ବକ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ବିଦ୍ୟା ପବ୍ଲିଶିଙ୍ଗ , କାନାଡ଼ା ଦ୍ଵାରା ପ୍ରକାଶିତ " ଜୀବନ ଜିଜ୍ଞାସା" ପୁସ୍ତକ ଲୋକାର୍ପଣ କରି ଲେଖକ ଶ୍ରୀ ମହାପାତ୍ରଙ୍କ ସାହିତ୍ୟ କୃତିକୁ ଭୂୟସୀ ପ୍ରଶଂସା କରି କହିଥିଲେ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ " ଜୀବନ ଜିଜ୍ଞାସା" ଜୀବନକୁ ଜୀଇଁବାର ପ୍ରକୃତ ରାହା ଦେଖାଇବ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ଓଡ଼ିଆ ଭାଷା ସାହିତ୍ୟ ପାଇଁ ପୁସ୍ତକର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ତଥା ଶିକ୍ଷାବିତ୍ ପଣ୍ତିତ ଦୈତ୍ୟାରି ମହାପାତ୍ର ବହିର ଇତିହାସ, ପୁସ୍ତକ ପଠନର ଆବଶ୍ୟକତା , ବହି ଆମର ସାଥୀ ଏବଂ ବହି କିପରି ଜୀବନର ମାର୍ଗ ଦେଖାଇଥାଏ ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଗୋଲକ ବିହାରୀ ସାହୁ ମନୁଷ୍ୟ ଜୀବନରେ ପୁସ୍ତକର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ଓଡ଼ିଆ ପକ୍ଷର ନବମ ଦିନରେ ଆସ ଆମେ ବହିଟିଏ କିଣିବା କାର୍ଯ୍ୟକ୍ରମ ଅବସରରେ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ଜୀବନ ଜିଜ୍ଞାସା ପାଠକ ପାଠିକା ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ନୂତନ ଦିଶା ଦେଖାଇବ ବୋଲି ମନ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ଦତ୍ତାତ୍ରେୟ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ଶିର୍କାଙ୍କ ସଂଯୋଜନାର ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ବୁଦ୍ଧିଜୀବୀମାନଙ୍କୁ ଶ୍ରୀମଦ୍ ଭଗବଦ୍ ଗୀତା ବଣ୍ଟନ ହେବା ସହିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଠିକ୍ ଉତ୍ତର ରଖୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭା ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ମଧୁସ୍ମିତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।