logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ। ଲେଖକ-ଘନଶ୍ୟାମ ପଲେଇ


ଭାଗ- 17

ସାକ୍ଷାତ କରି ସୀମା ବିବାଦର କାରଣ ନେଇ ଆଲୋଚନା କଲେ। ଧରଣୀଧର ବାବୁ କହିଲେ- “ ମହାଶୟ, ନଦୀ ଭଳି ସୀମା... ରାଜା ଭଳି ସାକ୍ଷୀକୁ ସବୁ ଦେଶରେ ସମ୍ମାନ ଦିଆଯାଏ। ବୈତରଣୀ ନଦୀ ପ୍ରାକୃତିକ ଉପାୟରେ ସୀମା ନିର୍ଦ୍ଧାରଣ କରୁଛି। ଏହାତ ଆପଣ ସ୍ୱଚକ୍ଷୁରେ ଦେଖୁଛନ୍ତି। ଏହା ଉପରେ ମୋର କିଛି କହିବାର ନାହିଁ। ତାଛଡା ସିପାହୀ ବିଦ୍ରୋହ ବେଳେ ଏବଂ କୋହ୍ଲ ବିଦ୍ରୋହ ବେଳେ ବର୍ତ୍ତମାନର ମାହାରାଜାଙ୍କ ପିତା ଗଦାଧର ନାରାୟଣ ଭଞ୍ଜ ଇଂରେଜ ସରକାରଙ୍କ ସପକ୍ଷରେ ଥିଲେ। ଆପଣ ସରକାରୀ କାଗଜପତ୍ରରୁ ନିଶ୍ଚୟ ଅବଗତ ଥିବେ। ବ୍ରହ୍ମପୁର ଗ୍ରାମ ଠାରୁ ଜୟନ୍ତୀଗଡ ପର୍ଯ୍ୟନ୍ତ କୌଣସି ଠାରେ ବୈତରଣୀ ନଦୀ ସୀମା ଡେଇଁ ନାହିଁ। ଗୋଧୂଳି ଗାଁ ପାଖରେ କିପରି ଭାବରେ ବିହାର ସୀମା ନଦୀର ଦକ୍ଷିଣ ପାର୍ଶ୍ୱକୁ ଆସିଲା। ବିଚାରକୁ ଆଣନ୍ତୁ ସାହେବ୍”!

ସବ୍‍ ଓଭର ସିଅର ଧରଣୀବାବୁଙ୍କ କଥା ଶୁଣି ସାହେବ ଭାରି ଖୁସି ହେଲେ। କହିଲେ- ବହୁତ ଆଛା... ବହୁତ ଆଛା। ସବୁଦିନ ପାଇଁ ଯେପରି ସୀମା ବିବାଦ ନିଷ୍ପତ୍ତି ହେବ... ସେପରି ବ୍ୟବସ୍ଥା କରାନ୍ତୁ।

ବୈତରଣୀ ନଦୀ ଧାରେ ଧାରେ ଗଲାବେଳେ ଧରଣୀଧର ବାବୁ କହିଲେ- “ସାହେବ୍! ନଦୀ ମଝିରେ ପଥର ପୋତାଇଲେ ବାଲିରେ ପୋତି ହେଇଯିବାର ସମ୍ଭାବନା। ଆଉ ଗୋଧୂଳି ଗ୍ରାମରେ ଖାଲୁଆ ଜାଗାରେ ପଥର ପୋତିଲେ ସେ ମଧ୍ୟ ବାଲି ପଙ୍କରେ ପୋତି ହୋଇ ପୁନର୍ବାର ବିବାଦ ଉପୁଜିବ। ସବୁଦିନ ପାଇଁ ବିବାଦ ନିଷ୍ପତ୍ତି କରିବାକୁ ହେଲେ ନଦୀର ଉତ୍ତର ପଟେ ଉଚ୍ଚ ସ୍ଥାନରେ ପଥର ପୋତା ହେବା ଆବଶ୍ୟକ। ଏମିତିରେ ବି ଆମର ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଆପଣଙ୍କୁ ସମ୍ମାନ ଜଣାଉଛନ୍ତି। କେନ୍ଦୁଝର ତ ଇଂରେଜ ସରକାରଙ୍କ ମିତ୍ର ରାଜ୍ୟ ଅଟେ”।

ଡେପୁଟି କମିଶନର ସାହେବ କହିଲେ- “ବହୁତ ଆଛା! ନଦୀର ଉତ୍ତର ପଟ ଉଚ୍ଚ ସ୍ଥାନ ଅଟେ, ଏହା ତ ମୁଁ ଦେଖି ପାରୁଛି। ସେଇ ଉଚ୍ଚ ସ୍ଥାନରେ ହିଁ ପଥର ପୋତେଇ ଦିଅ”।

ଏହା ଶୁଣିବାମାତ୍ରେ ଜୟନ୍ତୀଗଡର ଉପରକୁ ଥିବା ଶିମିଳି ଗଛ ଠାରୁ ବ୍ରହ୍ମପୁର ରାମତୀର୍ଥ ଘାଟରେ ଥିବା ବରଗଛ ପର୍ଯ୍ୟନ୍ତ ପାଦରେ ମାପି ଧରଣୀଧର ବାବୁ ସ୍ଥାନେ ସ୍ଥାନେ ପଥର ପୋତାଇ ଦେଲେ। ଉକ୍ତ ପଥର ଏପର୍ଯ୍ୟନ୍ତ ଯଥା ପୁର୍ବ ସ୍ଥାନରେ ରହି ସୀମା ନିର୍ଦ୍ଦେଶ କରୁଅଛି।
କ୍ରମଶଃ ପଢିବାକୁ ପାଇବେ....
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500


ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ... ଯାହା ପରବର୍ତ୍ତୀ ଭାଗ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ନମସ୍କାର। ଜୟ ଜଗନ୍ନାଥ।

1
175 views

Comment