logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅବ୍ୟବସ୍ଥା ଘେରରେ ଗୁଣ୍ଡୁଣିଆ ପଞ୍ଚାୟତ : ତଦନ୍ତ ଦାବୀ ଜଳ ଯୋଗାଣ ବିପର୍ଯ୍ୟସ୍ତ, ଭୁଶୁଡିଛି ପରିମଳ ବ୍ୟବସ୍ଥା, ଉନ୍ନୟନ କାର୍ଯ୍ୟରେ ଅନିୟମିତତା

ଚମ୍ପୁଆ, (୦୮/୦୪) : ପଞ୍ଚାୟତ ଗଠନ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ପିଇଓ ମାନଙ୍କ କାର୍ଯ୍ୟରେ ଅବହେଳା ହେଉ ଅବା ଅନୁଦାନ ହଡପ ନିତି ଯୋଗୁଁ ହେଉ ଗୁଣ୍ଡୁଣିଆ ପଞ୍ଚାୟତ ବିଭିନ୍ନ ଅବ୍ୟବସ୍ଥା ଘେରରେ ଛନ୍ଦି ହୋଇ ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି।
ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁଣିଆ ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ପଞ୍ଚାୟତ କର୍ତୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିରେ ନା ଅଛି ସାଧାରଣ ଲୋକଙ୍କ ପାଇଁ ପାଇଖାନା ଗୃହ ନା ଅଛି ପିଇବା ପାଣିର ବ୍ୟବସ୍ଥା। ପଞ୍ଚାୟତରେ ଜଳ ଯୋଗାଣ ବ୍ୟବସ୍ଥା ଭୁଶୁଡି ପଡ଼ିଥିବାବେଳେ କାର୍ଯ୍ୟାଳୟ ପରିସରରେ ନଳକୂପ ଟିଏ ମଧ୍ୟ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟରେ ଜଳ ଯୋଗାଣ ପାଇଁ ପୂର୍ବରୁ ବସିଥିବା ପାଣି ଟାଙ୍କି ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଯୋଗୁଁ ତାହା ଦୀର୍ଘ ଦିନରୁ ଅଚଳ ହୋଇ ପଡି ରହିଛି। ଫଳରେ ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ପିଇବା ପାଣି ମୁନ୍ଦାଏ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତା ସହିତ ପଞ୍ଚାୟତରେ ପଞ୍ଚାୟତ ମାନଚିତ୍ର ନ ଥିବା ବେଳେ ଜରୁରୀ କାଳୀନ ସେବା ନମ୍ବର କିମ୍ବା କୌଣସି ସୂଚନା ଲେଖାଯାଇ ନାହିଁ। ଏମିତିକି ପଞ୍ଚାୟତ ମୁଖ୍ୟ ଫାଟକରେ ପଞ୍ଚାୟତର ନାମ ଫଳକ ମଧ୍ୟ ଲଗା ଯାଇନାହିଁ। ମୁଖ୍ୟ ଦ୍ଵାରରେ ନାମ ଫଳକ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୌଣସି ସୂଚନା ଫଳକ ନ ଥିବାରୁ ସାଧାରଣତ ଜାଣି ନ ଥିବା ଲୋକ ଏହା ଏକ ପଞ୍ଚାୟତ କାର୍ଯ୍ୟାଳୟ ବୋଲି ମଧ୍ୟ ଜାଣି ପାରିବ ନାହିଁ। ତା ସହିତ ପଞ୍ଚାୟତ କାର୍ଯ୍ୟାଳୟର ପରିମଳ ବ୍ୟବସ୍ଥା ନ କହିବା ଭଲ। କାର୍ଯ୍ୟାଳୟ ପରିସରରେ ଅଳିଆ ଆବର୍ଜନା ଦୀର୍ଘ ଦିନ ଧରି ପଡି ରହୁଥିବା ବେଳେ ପାଚେରୀ କଡ଼ରେ ବିଭିନ୍ନ ନଟା ବୁଦା ହୋଇ ଜଙ୍ଗଲରେ ପରିଣତ ହେଲାଣି। ସାଧାରଣ ପଞ୍ଚାୟତବାସୀଙ୍କ ପାଇଁ କୌଣସି ଶୌଚାଳୟ ବ୍ୟବସ୍ଥା ନାହିଁ। ଯଦିଓ ଗୋଟିଏ ପୁରୁଣା ପାଇଖାନା ଗୃହ ଅଛି ତାହା ଅପରିଷ୍କାର ଭାବେ ପଡି ରହିଛି। ଫଳରେ ଏଠାକୁ ଆସୁଥିବା ମହିଳା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷେ ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ବହୁ ଘୋଟାଲା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଜଳଛତ୍ର ଠାରୁ ନେଇ କମ୍ପୁଟର କିଣା ପର୍ଯ୍ୟନ୍ତ ଘୋଟଲା ହୋଇଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟ ପାଇଁ ମାତ୍ର ଗୋଟାଏ କମ୍ପୁଟର ଓ ଗୋଟାଏ ପ୍ରିଣ୍ଟର୍ସ ମେସିନ କିଣା ଯାଇଥିବା ବେଳେ ଏହି କମ୍ପୁଟର ବାବଦକୁ ଗତ ତା - ୧୫ - ୦୧- ୨୦୨୬ ରିଖ ଦିନ ଦୁଇଟି କିସ୍ତିରେ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ଉଠା ଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ଜଣା ପଡିଛି। ଯାହା ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ମହା ଘୋଟାଲାକୁ ପଦାରେ ପକାଇଛି। ଏ ସମ୍ପର୍କରେ ଗୁଣ୍ଡୁଣିଆ ପଞ୍ଚାୟତ ପିଇଓ ଇତିଶ୍ରୀ ମହାରଣାଙ୍କୁ ପଚାରିବାରୁ ସେ କମ୍ପୁଟର କିଣା ଉପରେ କୌଣସି ଉତ୍ତର ରଖି ପାରି ନ ଥିବାବେଳେ ପଞ୍ଚାୟତ ଗୃହର ମରାମତି ସହିତ ପରିମଳ ବ୍ୟବସ୍ଥା ପାଇଁ କାମ ଚାଲିଛି ବୋଲି କହିଥିଲେ। ତେବେ ଏଠି ଆଉ ଗୋଟାଏ ପ୍ରଶ୍ନ ଉଠୁଛି ଯଦି ପଞ୍ଚାୟତ ଗୃହର ମରାମତି କାମ ଚାଲିଛି ତେବେ ସେ ସମ୍ପର୍କରେ କୌଣସି ସୂଚନା ଫଳକ ମରାଯାଇ ନାହିଁ କାହିଁକି ? ସରକାରୀ ଅନୁଦାନରେ ଯେ କୌଣସି ଉନ୍ନୟନ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲାଗିବାର କଡା ନିୟମ ରହିଥିବା ବେଳେ ଏଠାରେ ତାହା ଖୋଲା ଖୋଲି ଉଲଂଘନ କରିଥିବା ଦେଖିବାକୁ ମିଳିଛି। ପୁଣି ପଞ୍ଚାୟତ କାର୍ଯ୍ୟାଳୟର ମରାମତି କାର୍ଯ୍ୟ ସରି ନ ଥିବା ବେଳେ ତା ଉପରେ ରଙ୍ଗମରା ବାବଦକୁ ଦୁଇ ଲକ୍ଷ ଟଙ୍କାର ଅନୁଦାନ ଦିଆ ସରିଛି। ସୂଚନା ଫଳକ ଅନୁସାରେ ୧୫ ସିଏଫସି ଯୋଜନାରୁ ଆର୍ଥିକ ବର୍ଷ ୨୦୨୫- ୨୬ରେ ଏହି ଅନୁଦାନ ପ୍ରଦାନ କରା ଯାଇଛି। ଯାହାର କାର୍ଯ୍ୟ ଖୋଦ ଗୁଣ୍ଡୁଣିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଦାରଖ କରିଛନ୍ତି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ଗେଟ ନିର୍ମାଣ କାର୍ଯ୍ୟରେ ମଧ୍ୟ ବହୁ ଅନିୟମିତତା ଦେଖିବାକୁ ମିଳିଛି। ପଞ୍ଚାୟତର ଦୁଇଟି ମୁଖ୍ୟ ଦ୍ଵାର ଥିବା ବେଳେ ଏହି ଦ୍ଵାର ଗୁଡିକରେ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ଗୋଟାଏ ଗ୍ରିଲ ଗେଟ ଓଲଟା ଲଗା ଯାଇଥିବା ବେଳେ ଗ୍ରିଲ ଗେଟ ଗୁଡିକ ଠିକ ଭାବେ ବସାଯାଇ ନାହିଁ। ଗେଟରେ ତାଲା ପକାଇବା ପରେ ମଧ୍ୟ ଗେଟ ଗୁଡିକ ଖୋଲି ଯାଉଥିବାରୁ ବହୁ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଭିତରେ ଅସାମାଜିକ ମଦୁଆଙ୍କ ଆଡ୍ଡା ଜମୁଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ବ୍ଲକରେ ଥିବା ପଞ୍ଚାୟତର ଯଦି ଏହି ଅବସ୍ଥା ଅନ୍ୟ ବ୍ଲକ ଗୁଡିକର ଅବସ୍ଥା କଣ ହେଉଥିବ ବୋଲି ସ୍ଥାନୀୟ ଲୋକେ ଦୁଃଖର ସହିତ କହିଛନ୍ତି। ତେଣୁ ଏହି ଗୁଣ୍ଡୁଣିଆ ପଞ୍ଚାୟତ ଉପରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି । ଏ ସମ୍ପର୍କରେ ଗୁଣ୍ଡୁଣିଆ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଙ୍କୁ ଯୋଗାଯୋଗ କରିବାରୁ ମରାମତି କାମ ଚାଲିଛି, ଗେଟ ଗୁଡିକୁ ଖୋଲିକି ପୁଣି ଥରେ ଲଗା ଯିବ ବୋଲି କହିଥିବା ବେଳେ ଝୁମ୍ପୁରା ବିଡିଓ ହୃଦାନନ୍ଦ ଅଦ୍ଧାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ଫୋନ ଉଠାଇ ନ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

12
738 views

Comment