logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜନସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ହୀନତା ଯୋଗୁ ନିରୀହ ଲୋକଙ୍କ ଜୀବନ ଗଲା ଏଥି ପାଇଁ ଦାୟୀ କିଏ କଣ୍ଟ୍ରାକ୍ଟର ନା ଜନସ୍ୱାସ୍ଥ୍ୟ ବିଭାଗ ?

ପୁରୁଷୋତ୍ତମପୁର (ଆଦିତ୍ୟ ମହାପାତ୍ର)ଜନସ୍ୱାସ୍ଥ୍ୟ ବିଭାଗ (ପିଏଚଡି)ର ଅବହେଳା ଓ ଅଦାୟିତ୍ୱପୂର୍ଣ୍ଣ କାର୍ଯ୍ୟପ୍ରଣାଳୀ ପୁଣିଥରେ ଏକ ନିର୍ଦୋଷ ଜୀବନକୁ ମାରିଦେଇଛି। ରାସ୍ତାରେ ଚାଲୁଥିବା ପାଇପ ଲାଇନ୍ କାମରେ ସୁରକ୍ଷା ନିୟମକୁ ସମ୍ପୂର୍ଣ୍ଣ ବେଖାତିରି କରାଯାଇଥିବାରୁ ଏକ ଦୁଃଖଦ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପୁରୁଷୋତ୍ତମପୁରକୁ ହୁମା ଓ ଆସ୍କା ସହିତ ଯୋଡ଼ିଥିବା ମୁଖ୍ୟ ରାଜରାସ୍ତା ବଡଶଙ୍ଖ ଠାରେ ଗତ ରବିବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ବେଗୁନିଆପଡା ଥାନା ଅନ୍ତର୍ଗତ ଖୁଣ୍ଟିଆ ତୋଟା ଗ୍ରାମର ସୁଷମା ଶବର (୩୬) ସ୍ୱାମୀ ଗୁରୁବାରିଆ ଶବରଙ୍କ ଜୀବନ ଚାଲିଯାଇଛି। ସେ ତାଙ୍କ ପରିବାର ସହ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଭାରୀ ଯାନ ସହ ଧକ୍କା ହୋଇଥିଲା, ଯାହାର ମୂଳ କାରଣ ଭାବେ ରାସ୍ତାରେ ପାଇପ ଲାଇନ୍ ପାଇଁ ଖୋଲା ଯାଇଥିବା ଖୋଲା ଓ ଅସୁରକ୍ଷିତ ଅବସ୍ଥାରେ ପଡିରହିଥିବା ମାଟି ଗଦାକୁ ଦାୟୀ କରାଯାଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ପିଏଚଡି ବିଭାଗ ଦୀର୍ଘ ଦିନ ଧରି ଏହି ରାସ୍ତାରେ ପାଇପ ଲାଇନ୍ କାମ କରୁଥିବା ସତ୍ତ୍ୱେ ସୁରକ୍ଷା ପ୍ରତି କୌଣସି ଗୁରୁତ୍ୱ ଦେଇନାହାନ୍ତି। ଖୋଲା ଗର୍ତ୍ତକୁ ପୋତା ନଯାଇ ଏବଂ କୌଣସି ସତର୍କ ସୂଚନା ଫଳକ, ବାରିକେଡ୍ କିମ୍ବା ରାତିରେ ଦୃଶ୍ୟମାନ ହେବା ପାଇଁ କୌଣସି ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଏହିପରି ଅସୁରକ୍ଷିତ ପରିସ୍ଥିତିରେ ରାସ୍ତା ଚାଳକମାନେ ସଦା ଜୀବନକୁ ବାଜି ଲଗାଇ ଯାତାୟାତ କରୁଥିଲେ। ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି ଯେ, ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ପିଏଚଡି ବିଭାଗର ଅବହେଳା ଫଳରେ ଘଟିଥିବା “ମାନବ ନିର୍ମିତ ଦୁର୍ଘଟଣା”। ଗତ କିଛି ଦିନ ଧରି ଏହିପରି ଛୋଟ-ବଡ଼ ଦୁର୍ଘଟଣା ଘଟୁଥିବା ସତ୍ତ୍ୱେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସଚେତନତା କିମ୍ବା ସୁଧାରମୂଳକ ପଦକ୍ଷେପ ନିଆଯାଇନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଏହି ଘଟଣା ପରେ ପ୍ରଶ୍ନ ଉଠୁଛି—ଜନସ୍ୱାସ୍ଥ୍ୟ ବିଭାଗର କାମ କେବଳ ପ୍ରକଳ୍ପ ପୂରଣ କରିବା ନା କି ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବା? ଯଦି ନିୟମିତ ନିରୀକ୍ଷଣ ଓ ନିୟମ ମାନି କାମ କରାଯାଇଥାନ୍ତା, ତେବେ ଏହି ମୃତ୍ୟୁ ନିଶ୍ଚିତ ଭାବେ ଏଡ଼ାଯାଇପାରୁଥାନ୍ତା। ଘଟଣାକୁ ନେଇ ଅଞ୍ଚଳରେ ଭାରି ରୋଷ ଦେଖାଦେଇଛି। ସ୍ଥାନୀୟ ଲୋକମାନେ ପିଏଚଡି ବିଭାଗ ଓ ସମ୍ବନ୍ଧିତ ଠିକାଦାରଙ୍କ ବିରୁଦ୍ଧରେ କଠୋର ଆଇନୁନ୍ମୁଖୀ କାର୍ଯ୍ୟନୁଷ୍ଠାନ ଓ ପୀଡ଼ିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦାବି କରିଛନ୍ତି। ସରକାରଙ୍କ ପାଇଁ ଏହା ଏକ ସତର୍କ ସଙ୍କେତ—ଯଦି ଏବେ ମଧ୍ୟ ଅବହେଳା ଚାଲିଥାଏ, ତେବେ ଏପରି ଦୁର୍ଘଟଣା ଆଗାମୀ ଦିନରେ ଆହୁରି ବଢ଼ିପାରେ।

1
12 views

Comment