କାଲିମେଳାରେ ବ୍ଲକସ୍ତରୀୟ ‘ବିଦ୍ୟାଳୟ ପ୍ରବେଶ ଓ ଖଡିଛୁଆ’ ଉତ୍ସବ, ଶିକ୍ଷାର ନୂତନ ଅଧ୍ୟାୟ ଆରମ୍ଭ
କାଲିମେଳାରେ ବ୍ଲକସ୍ତରୀୟ ‘ବିଦ୍ୟାଳୟ ପ୍ରବେଶ ଓ ଖଡିଛୁଆ’ ଉତ୍ସବ, ଶିକ୍ଷାର ନୂତନ ଅଧ୍ୟାୟ ଆରମ୍ଭ
ମାଲକାନଗିରି,କାଲିମେଳା ୦୫/୦୪
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏମ.ଭି-୭ ୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ‘ବିଦ୍ୟାଳୟ ପ୍ରବେଶ ଓ ଖଡିଛୁଆ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କୁ ଶିକ୍ଷାର ମୂଳସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ବ୍ଲକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ କାଲିମେଳା
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରମେଶ ବାରୋଇ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥୀ ଭାବେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର କର ଯୋଗ ଦେଇ
ଶିଶୁମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ସମାଜର ପ୍ରଗତିରେ ଶିକ୍ଷାର ଅପରିହାର୍ଯ୍ୟତା ଉପରେ ଗୁରୁତ୍ବାରୋପ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥ୍ୟ ଭାବେ କାଲିମେଳା ବ୍ଲକ
ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ହରବିଲାଶ ମଣ୍ଡଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧନେଶ୍ଵର ନାୟକ, ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଭବାନୀଶଙ୍କର ମୁଖାର୍ଜୀ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଉତ୍ତମ ରାୟ ଯୋଗ ଦେଇ ଶିଶୁମାନଙ୍କୁ ଖଡି ଛୁଆଇଁ ସେମାନଙ୍କର ବିଦ୍ୟାରମ୍ଭ କରାଇଥିଲେ। କୋମଳମତି ଶିଶୁମାନଙ୍କୁ ଉତ୍ସାହିତ କରିବା
ପାଇଁ ଅତିଥିମାନେ ସେମାନଙ୍କ ସହ ସମୟ ଅତିବାହିତ କରିଥିଲେ।ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମକୁ ଏମ.ଭି-୭୨ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାଧର ମାଡ଼କାମି ଏବଂ ନାଲାଗୁଣ୍ଠି ପଞ୍ଚାୟତର ସି.ଆର.ସି.ସି ଶ୍ରୀଯୁକ୍ତ ମାନସ ରଞ୍ଜନ ନାୟକ ଅତିସୁନ୍ଦର ଭାବେ ପରିଚାଳନା କରିଥିଲେ।ଏହି ଅବସରରେ ଏମ.ଭି-୭୨ ଗ୍ରାମର ଶତାଧିକ ଗ୍ରାମବାସୀ, ଅଭିଭାବକ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରତି ଏକ ନୂତନ ଜାଗରଣ ସୃଷ୍ଟି ହୋଇପାରିଛି ବୋଲି ମତ ପ୍ରକାଶ ପାଇଛି।