logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡିଶା ଜନତା କଂଗ୍ରେସର ମିଶ୍ରଣ ପର୍ବ, ବିଜେଡି ଓ ବିଜେପି ଏବଂ କଂଗ୍ରେସକୁ ସିଧା ନିଶାନା। କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ଓଜେସିର ଅଭିଯାନ ଆରମ୍ଭ।

କୋରାପୁଟ,୪।(ନି ପ୍ର);କୋରାପୁଟ ଜିଲ୍ଲା ସେମିଳିଗୁଡ଼ାଠାରେ ଶନିବାର ଓଡ଼ିଶା ଜନତା କଂଗ୍ରେସ ପାର୍ଟି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ସଭାପତି ମହମ୍ମଦ ମୁକିମ୍ ଯୋଗ ଦେଇ ଦଳ ଗଠନ ଓ ଭବିଷ୍ୟତ ଲକ୍ଷ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମୁକିମ୍ କହିଥିଲେ ଯେ ପ୍ରାକୃତିକ ସମ୍ପଦ ଓ ଶିଳ୍ପ ସ୍ଥାପନାରେ ଭରପୂର ଏହି ଭୂସ୍ୱର୍ଗ କୋରାପୁଟ ଜିଲ୍ଲାର ଯୁବ ପ୍ରଜନ୍ମ ଆଜି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପଳାଇ ଯାଉଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ବି ଜିଲ୍ଲା ବହୁ ପଛରେ ଅଛି, ଯାହା ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଶାସନ ବ୍ୟର୍ଥତା ଏକ ଜ୍ୱଳନ୍ତ ପ୍ରମାଣ। ବିଜେଡି ୨୪ ବର୍ଷ ଶାସନ ଉପରେ ତୀରଛା ଆକ୍ରମଣ କରି ସେ କହିଥିଲେ ଯେ, ଏ ସରକାର ଜଣେ ତାମିଲ ଦ୍ୱାରା ପରିଚାଳିତ ହେଉଥିଲା ଓ ଓଡ଼ିଆ ସ୍ୱାର୍ଥ ସର୍ବଦା ଉପେକ୍ଷିତ ରହିଛି। କୋରାପୁଟ ଜିଲ୍ଲାର ଲୋକମାନେ ବହୁତ କିଛି ଆଶା ରଖି ନିଜ ଅଞ୍ଚଳରୁ ଅନେକ ବିଧାୟକ ଦେଇଛନ୍ତି। କିନ୍ତୁ ବିଧାୟକ ମାନେ ରାଜଧାନୀକୁ ଗଲାପରେ ସେମାନେ ଏଠିକାର ପାଣି ପବନ କୁ ଭୁଲି ଯାଉଛନ୍ତି। ଭୁବନେଶ୍ୱର ପାଣିପାଗର ମଜ୍ଜା ନେଇ ନିଜ କର୍ତ୍ତବ୍ୟ ରୁ ଓହରି ଯାଉଛନ୍ତି। ଏପରି ସ୍ଥିତିରେ ସାଧାରଣ ଜନତା ବିଜେଡ଼ି ଉପରୁ ଆସ୍ଥା ହରାଇ ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା କୁ ନେଇ ବିଜେପିକୁ ଚୟନ କଲେ, କିନ୍ତୁ ୨୨ ମାସ ଅତିକ୍ରାନ୍ତ ହୋଇ ସାରିଲାଣି ସେ ସରକାର ଏ ଯାଏ କ'ଣ କରିଛନ୍ତି, ରାଜ୍ୟରେ ସରକାର ଚାଲୁଛି କି ନାହିଁ ତାହା ଜଣା ପଡ଼ୁ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ। ଦୀର୍ଘ ଦିନ ଧରି କଂଗ୍ରେସ ଦେଶ ଓ ରାଜ୍ୟରେ ଶାସନ କରିଛି। କିନ୍ତୁ ଜାତୀୟ ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ଲାଗି କଂଗ୍ରେସ ଦେଶ ଓ ରାଜ୍ୟରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କଂଗ୍ରେସ ଭିତରୁ ଗୋଷ୍ଠୀ କନ୍ଦଳ ଦ୍ୱାରା ଦଳ ଆଗକୁ ଯାଇ ପାରୁ ନ ଥିବା ମଧ୍ୟ ସ୍ୱୀକାର କରି ମୁକିମ ଜଣାଇଥିଲେ ଯେ ଏହି ଶୂନ୍ୟତା ପୂରଣ ପାଇଁ ଓ ସାଧାରଣ ଜନତାଙ୍କ ସ୍ୱର ହୋଇ ଛିଡ଼ା ହେବା ପାଇଁ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଗଠନ ହୋଇଛି। ଯୁବ ପିଢ଼ିକୁ ଅଧିକ ସଂଖ୍ୟାରେ ଦଳ ସହିତ ଯୋଗ ଦେବା ପାଇଁ ସେ ଆହ୍ୱାନ ଜଣାଇ କହିଥିଲେ ଯେ, ଅନ୍ୟ ଦଳ ରୁ ଆସୁଥିବା ସକ୍ରିୟ ଯୁବ କର୍ମୀଙ୍କୁ ଦଳ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ। ମିଶ୍ରଣ ପର୍ବ ରେ ବିଭିନ୍ନ ଦଳ ତଥା ସମାଜବାଦୀ ପାର୍ଟି, କଂଗ୍ରେସ ଓ ବିଜେଡି ଦଳ ଛାଡ଼ି ବହୁ ସଂଖ୍ୟାରେ ନେତା ଓ କର୍ମୀ ମାନେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ। ଯାହା ଦଳ ପ୍ରତି ବଢ଼ୁଥିବା ଜନ ଆଗ୍ରହର ପ୍ରତିଫଳନ ବୋଲି ସେ ଦାବି କରିଛନ୍ତି। ଆସନ୍ତା ପୌରାଞ୍ଚଳ ସ୍ତରୀୟ ନିର୍ବାଚନ ରେ କୋରାପୁଟ,ଜୟପୁର ସୁନାବେଡ଼ା ଏବଂ କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ତରଫରୁ ପ୍ରତିଦ୍ଵନ୍ଦିତା ସୃଷ୍ଟି କରାଯିବ। ମୂଖ୍ୟତଃ ଯୁବବର୍ଗଙ୍କୁ ସୂଯୋଗ ଦିଆଯିବ। ପୌରାଞ୍ଚଳର ପ୍ରତ୍ୟେକେ ୱାର୍ଡ ସ୍ତରରେ ଓଜେସି ଦଳ ଘରେ ଘରେ ପହଞ୍ଚି କୋରାପୁଟ ଜିଲ୍ଲାରେ ବିକାଶରେ ନୁଆ ଇତିହାସ ସୃଷ୍ଟି କରିବାକୁ ଜନ ମତ ଲଢ଼ିବ ବୋଲି କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଓଜେସି କନ୍ଭେନର୍ ନିକୁଞ୍ଜ ପଶାୟତ, କଟକ ଜିଲ୍ଲାରୁ କୃଷ୍ଣ ଚନ୍ଦ୍ର ପ୍ରଧାନ, ଜୀନୁ ସ୍ୱାଇଁ,ଆର୍ଯ୍ୟବିର୍ ଲେଙ୍କା, ସୂର୍ଯ୍ୟକାନ୍ତ ରାଉତ, ଦୀପକ ପରିଡା,ସେକ ବାବା ଜାନିଙ୍କ ସ‌ହ ସ୍ଥାନୀୟ ନେତା ମନୋଜ କୁମାର ବାଗଙ୍କ ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ ଉପସ୍ଥିତ ଥିଲେ।

12
81 views

Comment