ମହିଳା ମହାବିଦ୍ୟାଳୟରେ ପାରମ୍ପାରିକ ପୋଷାକ ପରିଧାନ ଦିବସ ପାଳିତ।
ମହିଳା ମହାବିଦ୍ୟାଳୟରେ ପାରମ୍ପାରିକ ପୋଷାକ ପରିଧାନ ଦିବସ ପାଳିତ।
କେନ୍ଦୁଝର -୨/୪ (ଖଣ୍ଡାଧାର ନିଉଜ) କେନ୍ଦୁଝରଗଡ଼ ର ମଣ୍ଡୁଆ ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ମାର୍ଗଦର୍ଶନରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଓଡ଼ିଶାର ଗର୍ବ ଓ ଗୌରବ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ମହାବିଦ୍ୟାଳୟକୁ ଆସିଥିଲେ। ସମ୍ବଲପୁରୀ ବସ୍ତ୍ର ଓଡ଼ିଶାରେ ବସ୍ତ୍ର ଶିଳ୍ପ ଓ ତନ୍ତ କରିଗରୀର ନିଦର୍ଶନ। ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଭାବେ ସମ୍ବଲପୁରୀ ବସ୍ତ୍ର ପ୍ରତ୍ୟେକ ଓଡିଆଙ୍କ ସୁନ୍ଦରତା ବଢ଼ାଇଥାଏ। ସାରା ରାଜ୍ୟରେ ଅପ୍ରେଲ ୧ ତାରିଖ ଓଡ଼ିଆ ଦିବସରୁ ୧୪ ଅପ୍ରେଲ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ପକ୍ଷ ଭାବରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପାଳନ କରାଯାଉଛି। ୨୦୨୫ ମସିହାରୁ ଶ୍ରଦ୍ଧା ଓ ଉତ୍ସାହର ସହିତ ସମସ୍ତ ଓଡ଼ିଆ ଭାଷା ଭାଷୀ ଲୋକେ ଏହି ଓଡ଼ିଆ ପକ୍ଷ ମହା ଆଡମ୍ବରରେ ସହରରୁ ପୁରପଲ୍ଲୀ ପର୍ଯ୍ୟନ୍ତ ପାଳନ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ପକ୍ଷକୁ ସଫଳ କରିବା ପାଇଁ କେନ୍ଦୁଝର ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଓଡ଼ିଆ ପକ୍ଷର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଅଧ୍ୟକ୍ଷ ପ୍ରଫେସର ସାହୁ କହିଛନ୍ତି। କଳା, ସାହିତ୍ୟ ସଂସ୍କୃତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ ଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଥିବା ବେଳେ ଏହି ଦିବସ ପାଳନ ମାଧ୍ୟମରେ ସେମାନେ ଓଡ଼ିଶାର କଳା ସଂସ୍କୃତି, ପୋଷାକ, ଲୋକ ସଂସ୍କୃତି , ଲୋକକଳା, ଓଡ଼ିଆ ଭାଷା ସାହିତ୍ୟ, ଓଡ଼ିଶାର ବରପୁତ୍ରଙ୍କ ବିଷୟରେ ଜ୍ଞାନ, ଓଡ଼ିଆ ଘରର ରୁଚିପୁର୍ଣ୍ଣ ସ୍ୱାଦିଷ୍ଟ ଖାଦ୍ୟ ବିଷୟରେ ଜାଣିବାର ସୁଯୋଗ ପାଇ ପାରିବେ ବୋଲି ଅଧ୍ୟକ୍ଷ ପ୍ରଫେସର ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଚିତ୍ତରଞ୍ଜନ ସାହୁ, ଡ଼ ରାମଚନ୍ଦ୍ର ମଲ୍ଲ, ଡ଼ ଆଲ୍ଫା ସରିତା ମହାନ୍ତି, ଜାତୀୟ ସେବା ଯୋଜନା ସଂଯୋଜିକା ଗୀତାଞ୍ଜଳି ନାଏକ, ଓଡ଼ିଆ ବିଭାଗର ଡ଼ ଋଷିନାଥ ନାୟକ, ଡ଼ ସୂର୍ଯ୍ୟକାନ୍ତ ନାୟକ, ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।