logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଭେଜାପୁଟରେ ମାନସିକଧାରୀ ଙ୍କ ଦଣ୍ଡନାଚ*


ଦାମନଯୋଡି: ଓଡ଼ିଶାର ପରମ୍ପରା ଅନୁଯାୟୀ ବୈଶାଖ ମାସରେ ବିଭିନ୍ନ ଦେବୀ ପୀଠରେ କେଉଁଠି ଦଣ୍ଡନାଚ, କେଉଁଠି ଚଡ଼କ ଯାତ୍ରା,ତ ଆଉ କେଉଁଠି ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଚୈତ୍ର ପୂର୍ଣ୍ଣିମା ଠାରୁ ଦକ୍ଷିଣ ଓଡ଼ିଶାରେ ଦଣ୍ଡନାଚ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଉଦଯାପନ ହୋଇଥାଏ । ଏଥିରେ ମାନସିକଧାରୀ ମାନେ ଭାଗ ନେବା ସହ ନିଜ ନିଜ ସ୍ଥାନରେ ଦଣ୍ଡନାଚ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଶିଳ୍ପାଞ୍ଚଳ ଦାମନଯୋଡି ସନ୍ନିକଟ ଭେଜପୁଟ ଗ୍ରାମର ମାନସିକ ଧାରୀ ମାନେ ଦଣ୍ଡନାଚ ଆୟୋଜନ କରିଥିଲେ । ମାଥାଲପୁଟ ସ୍ଥିତ ମାଆ ଦଣ୍ଡକାଳୀ ମନ୍ଦିରରୁ ପାଟ ଦଣ୍ଡୁଆ ଜଗନ୍ନାଥ ସାହୁ ଓ କାଳିସୀ ସଞ୍ଜୟ କୁମାର ପଣ୍ତା ଆଜ୍ଞାମାଳ ନେଇ ଢୋଲ, ଘଣ୍ଟ, କାହାଳୀ ଆଦି ପାରମ୍ପରିକ ବାଦ୍ୟ ବଜାଇ ଆସିଥିଲେ । ଭେଜାପୁଟ ନିକଟ ତିନିଛକ ଠାରୁ ମାନସିକଧାରୀ ମାନେ ଚାଉଳ, ଦୁବ, ବରକୋଳି ପତ୍ର,ସିନ୍ଦୂର, ଶଙ୍ଖା,କଳାଶାଢ଼ୀ ଆଦି ଦେଇ ମା'ଙ୍କୁ ବରଣ କରି ଆଣି ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖରେ ଥିବା ବରଗଛ ମୂଳରେ ଆସୀନ କରାଯାଇଥିଲା । ମା'ଙ୍କୁ ଧୂପ ଦୀପ, ଝୁଣା ଆଦି ଦେଇ ପୂଜା କରି ନୈବେଦ୍ୟ ଅର୍ପଣ କରିଥିଲେ । ଏହା ପରେ ଧୂଳିଦଣ୍ଡ ଓ ମରିଚମାଳ ନଦୀରେ ପାଣିଦଣ୍ଡ ହୋଇଥିଲା ବେଳେ ରାତିରେ ଭାରତଲୀଳା ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି, ବଣିକ ସଂଘ ଓ ଗ୍ରାମବାସୀ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦଣ୍ଡନାଚ ଦକ୍ଷିଣ ଓଡ଼ିଶାର ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ହୋଇଥିବା ବେଳେ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବାରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ ପାଇଛି ।

0
693 views

Comment