logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆନ୍ତର୍ଜାତୀୟ ଟ୍ରାନସ୍‌ଜେଣ୍ଡର ଦୃଶ୍ୟମାନତା ଦିବସ ପାଳିତ

ଦେବଗଡ଼, ତା ୩୧/୦୩/୨୦୨୬ ରିଖ :- ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ଟ୍ରାନସ୍‌ଜେଣ୍ଡର ଦୃଶ୍ୟମାନତା ଦିବସ ଉଦଯାପିତ ହୋଇଥିଲା। ସମାଜରେ ଟ୍ରାନସ୍‌ଜେଣ୍ଡର ମାନଙ୍କ ସମାନ ଅଧିକାର ଓ ସ୍ୱୀକୃତି ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରୋଣ୍ୟ ଅତିଥି ଭାବେ ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ପ୍ରଭାତ କୁମାର ଓଝା ଓ ଡିଏଲଏସଏ ପେନାଲ୍ ଆଡଭୋକେଟ୍ ସ୍ମୃତି ସ୍ୱାଗତ ମିଶ୍ର ଉପସ୍ଥିତ ଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସମାଜରେ ପାରମ୍ପରିକ ଭାବରେ ପୁରୁଷ ଓ ମହିଳା ଦୁଇ ପ୍ରକାର ଲିଙ୍ଗକୁ ଗ୍ରହଣ କରାଯାଇଥିଲେ ମଧ୍ୟ ଟ୍ରାନସ୍‌ଜେଣ୍ଡର ମାନେ ମଧ୍ୟ ସମାଜର ଏକ ଅଂଶ ଓ ସେମାନେ ଆମ ପରି ସମାନ ଅଧିକାରର ଅଧିକାରୀ। ଜନ୍ମ ସମୟରେ ନିର୍ଦ୍ଧାରିତ ଲିଙ୍ଗ ସହିତ ଯାହାଙ୍କ ପରିଚୟ ମେଳ ଖାଉନଥାଏ, ସେମାନଙ୍କୁ ଟ୍ରାନସ୍‌ଜେଣ୍ଡର ବୋଲି କୁହାଯାଏ।
ସେମାନେ ଏହା ମଧ୍ୟ କହିଥିଲେ ଯେ, ଭାରତ ସରକାର ଓ ଓଡ଼ିଶା ସରକାର ଟ୍ରାନସ୍‌ଜେଣ୍ଡର ମାନଙ୍କ ପାଇଁ ଆଇନଗତ ସ୍ୱୀକୃତି ଦେଇଛନ୍ତି, କିନ୍ତୁ ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ମନୋଭାବର ପରିବର୍ତ୍ତନ ଅତ୍ୟାବଶ୍ୟକ। ଏହି ଅବସରରେ ୨୫ ଜଣ ଟ୍ରାନସ୍‌ଜେଣ୍ଡରଙ୍କୁ ଅତିଥିମାନଙ୍କ ଦ୍ୱାରା ଟେବୁଲ୍ ଫ୍ୟାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ତିନୋଟି ବ୍ଲକର ଟ୍ରାନସ୍‌ଜେଣ୍ଡର ମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ବାରକୋଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ ସାହୁ ଧନ୍ୟବାଦ ଜଣାଇଥିଲେ।

7
172 views

Comment