ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି*
*ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି*
*ଲୋକଙ୍କ ସମସ୍ୟାର ହେଲା ସମାଧାନ*
*ମାଲକାନଗିରି, ୩୦/୩/୨୬:*
ସ୍ୱାଭିମାନ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ଯନ୍ତ୍ରୀ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। ଶିବିରରେ ୨୬ ଟି ବ୍ୟକ୍ତିଗତ ଓ ୫୧ ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜମି ପଟ୍ଟା ସମ୍ପର୍କିତ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ପାଇଁ ଆସିଥିବା ଅଭିଯୋଗର ଶୁଣାଣୀ କରାଯାଇଥିଲା । ତତ୍ ସହିତ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ରାସ୍ତାଘାଟ ସମସ୍ୟାର ସମାଧାନ ପାଇଁ ଶୁଣାଣୀ କରଯାଇଥିଲା। ଜିଲ୍ଲାପାଳ କେତେକ ଗୁରୁତର ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହିତ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟାକୁ ଶୁଣିଥିଲେ। ଏଥିସହ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ଲୋକଙ୍କ ଦୁଃଖ ବୁଝୁଥିବାରୁ ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।