logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାହାସ୍ୱାର୍ଥରେ ଅଧାପନ୍ତରିଆ ପାର୍କକୁ ଦଶ ଲକ୍ଷ ଟଙ୍କାର ସି ସି ରୋଡ଼

* ଦୁଇ ବର୍ଷରେ ବି ସମ୍ପୂର୍ଣ ହେଲାନି ପାର୍କ କାମ
* ଅଧାପନ୍ତରିଆ ପାର୍କରେ ଅସାମାଜିକ ଲୋକଙ୍କ ଜମୁଛି ଆଡ୍ଡା
* ମଦୁଆଙ୍କ ସୁବିଧା ପାଇଁ ତିଆରି ହେଉଛି ଦଶ ଲକ୍ଷ ଟଙ୍କାର ସି ସି ରୋଡ଼
* ନିଘୋଡ଼ ନିଦ୍ରାରେ ପ୍ରଶାସନ
* ଡି ଏମ ଏଫ୍ ଟଙ୍କାକୁ ମିଲିଭଗତରେ ଚଳୁ କରାଯାଉଥିବା ଅଭିଯୋଗ
* ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ
ଚମ୍ପୁଆ, ୩୦/୩ : ଅନୁଦାନର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ପାର୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ବେଳେ ଉକ୍ତ ପାର୍କ କୁ ଯିବା ନିମନ୍ତେ ରାସ୍ତା ନିର୍ମାଣ ପାଇଁ ପୁଣି ଦଶ ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଛି। ଯାହା ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ଖବର ଅନୁସାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ବାଲେଶ୍ୱର ଗ୍ରାମରେ ଲୋକଙ୍କ ଅବସର ବିନୋଦନ ପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ୩୨ଲକ୍ଷ ୧୧ ହଜାର ଅନୁଦାନରେ ଏଗ୍ରିମେଣ୍ଟ କୋଷ୍ଟ ୨୮ଲକ୍ଷ ୬୧ହଜାର ୯୮ ଟଙ୍କା ବ୍ୟୟ ଅଟକଳରେ ଏକ ପାର୍କ ନିର୍ମାଣ ଆରମ୍ଭ କରା ଯାଇଛି। କିନ୍ତୁ ଅନୁଦାନର ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ପାର୍କ ସମ୍ପୂର୍ଣ ହୋଇ ପାରୁ ନ ଥିବା ବେଳେ ବ୍ଲକ ପ୍ରଶାସନ ପ୍ରଥମେ ପାର୍କ କାମ ସମ୍ପୂର୍ଣ୍ଣ ହେବା ଦିଗରେ ଦୃଷ୍ଟି ନ ଦେଇ ଉକ୍ତ ପାର୍କକୁ ରାସ୍ତା ନିର୍ମାଣପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ପୁଣି ଦଶ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ଚମ୍ପୁଆ - ତୁରୁମୁଙ୍ଗା ଆରଡ଼ିରୋଡ଼ ଠାରୁ ବାଲେଶ୍ୱର ଗ୍ରାମରେ ଅଧାପନ୍ତରିଆ ଭାବେ ପଡ଼ିଥିବା ରୁରାଲ ପାର୍କ ପର୍ଯ୍ୟନ୍ତ ଏକ ସି ସି ରୋଡ଼ ନିର୍ମାଣ କରା ଯାଉଛି। ସୂଚନା ଫଳକ ଅନୁଯାୟୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଯୋଜନାରୁ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅଟକଳ ମୂଲ୍ୟ ଦଶ ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଥିବା ବେଳେ ଏହାର କାର୍ଯ୍ୟ ଦାୟିତ୍ୱ ଚମ୍ପୁଆ ପଞ୍ଚାୟତ ସମିତି ନେଇଥିବା ଦେଖିବାକୁ ମିଳିଛି। ତେବେ ଲୋକଙ୍କ କହିବା ଅନୁସାରେ ପାର୍କ କାମ ଅଧାପନ୍ତରିଆ ପଡି ରହିଥିବାରୁ ସ୍ଥାନଟି ଅସାମାଜିକ ଲୋକଙ୍କ ଆଡ୍ଡା ପାଲଟିଲାଣି ତଥାପି ବ୍ଲକ ପ୍ରଶାସନର ସେଥି ପ୍ରତି ନିଘା ନାହିଁ। ଅନ୍ୟପଟେ ଉକ୍ତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଅନେକ ଗ୍ରାମରେ ରାସ୍ତା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲୋକଙ୍କ ଚଳପ୍ରଚଳ ସ୍ଥାନରେ ପ୍ରଥମେ ରାସ୍ତା ନିର୍ମାଣ ନ କରି ଉକ୍ତ ଅଧାପନ୍ତରିଆ ପାର୍କକୁ କାହା ସ୍ୱାର୍ଥରେ ରାସ୍ତା ନିର୍ମାଣ କରାଯାଉଛି ? ଏହି ରାସ୍ତା ଅସାମାଜିକ ଲୋକଙ୍କ ସୁବିଧା ନିମନ୍ତେ କରା ଯାଉଛି ନା ଅଧିକାରୀଙ୍କ ପକେଟ ଗରମ କରିବା ନିମନ୍ତେ କରା ଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଅନ୍ୟପଟେ ଉକ୍ତ ରାସ୍ତା କାମ ଅତି ନିମ୍ନମାନର କରା ଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ପୂର୍ବରୁ ସମ୍ପୂର୍ଣ ମାଟି ନ କାଢି କେବଳ ଦୁଇ ପଟରୁ ଲୋକ ଦେଖାଣିଆ ଅଳ୍ପ ମାଟି କାଢି ଦେଇ ପେଭର ବ୍ଲକ ପକା ଯାଉଥିବାରୁ ରାସ୍ତାର ସ୍ଥାଇତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପେଭର ବ୍ଲକ ପକାଇବା ପୂର୍ବରୁ ସମ୍ପୂର୍ଣ ରାସ୍ତାରୁ ମାଟି କାଢି ଢ଼ଳେଇ କାମ ସରିବା ପରେ ବାଲି ପକାଇ ପେଭର ବ୍ଲକ ପକାଇବା ନିୟମ ରହିଥିବା ବେଳେ ଏଠାରେ ମାଟି ନ କାଢି ମେଣ୍ଟାଲ ଢ଼ଳେଇ କରିଥିବା ଦେଖିବାକୁ ମିଳିଛି। ଉପର ମାଟି କଢ଼ା ଯାଇ ନ ଥିବାରୁ ରାସ୍ତାଟି ସାଧାରଣ ବର୍ଷାରେ ମଧ୍ୟ ଦବି ଭାଙ୍ଗି ଯିବାର ଭୟ ରହିଛି। ରାସ୍ତା କାମ ସମୟରେ ଅଧିକାରୀ ଉପସ୍ଥିତ ରହୁ ନ ଥିବାରୁ ଏହିପରି ନିମ୍ନମାନର କାମ କରାଯାଉଥିବା କୁହା ଯାଉଥିବା ବେଳେ ଅନ୍ୟପଟେ ଚମ୍ପୁଆ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ଚଳ ପ୍ରଚଳ ହେଉ ନ ଥିବା ତଥା ଦୃଷ୍ଟି ଆଢୁଆଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନୁଦାନ ପ୍ରଦାନ କରି ଡି ଏମ ଏଫ୍ ଟଙ୍କା କୁ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନ ମାନର କାମ କରି ପକେଟ ଗରମ କରୁଥିବା କୁହା ଯାଉଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

9
440 views

Comment