ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସରକାରୀ ବାସଭବନରେ ରହୁଛନ୍ତି ଯନ୍ତ୍ରୀ,
ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସରକାରୀ ବାସଭବନରେ ରହୁଛନ୍ତି ଯନ୍ତ୍ରୀ,
ବଡ ଅଧିକାରୀଙ୍କ ଠାରୁ ଅଧିକ ସୁରକ୍ଷା ବ୍ୟବସ୍ତା ପାଇଁ ଖର୍ଚ ହୋଇଛି ଲକ୍ଷାଧିକ ଟଙ୍କା
ମାଲକାନଗିରି,26/୩(--------): ଜଣେ ବରିଷ୍ଟ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର୍ ରେ ରହୁଛନ୍ତି କନିଷ୍ଠ ଯନ୍ତ୍ରୀ। ଏହା ସହ ସୁରକ୍ଷା ବ୍ୟବସ୍ତା ପାଇଁ ଏହି କ୍ଵାଟରରେ ଖର୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସଦରରେ ଥିବା ଆଇଟିଡିଏ କଲୋନୀରୁ। ଏହି କଲୋନୀରେ ରହିଛି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସରକାରୀ ବାସଭବନ। ତେବେ ଏହି ସରକାରୀ ବାସଭବନରେ ପୂର୍ବରୁ ଅନେକ ଜିଲ୍ଲା ମଙ୍ଗଲ ଅଧିକାରୀ ରହୁଥିବା ବେଳେ ଏହାର ଚାରି ପାର୍ଶ୍ଵରେ ସୁରକ୍ଷା ପାଚେରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ତା ମଧ୍ୟ ରହିଛି। ବର୍ତ୍ତମାନ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ୟ ସରକାରୀ କ୍ବାର୍ଟର୍ ରେ ରହୁ ଥିବାରୁ ଦିର୍ଘ ଦିନ ହବ ବାସଭବନ ଟି ଖାଲି ପଡି ଥିଲା। ଆଉ ଗତ କିଛି ଦିନ ହବ କେହି ଜଣେ ଏହି କ୍ବାର୍ଟର୍ ରେ ରହୁ ଥିବା ସହ ଏହାର ନିରନ୍ତର ମରାମତି ଚାଲିଥିବା ଦେଖିବାକୁ ମିଳିଛି। ତେବେ ମରାମତି ସହ ଏହି ସରକାରୀ କ୍ଵାଟର ଚାରି ପାଖରେ ଥିବା ପାଚେରିର ଉଚ୍ଚତା ହଟାତ ବଢାଇ ଦିଆଯାଇଛି। ବର୍ଷ ବର୍ଷ ଧରି ଏହି ସରକାରୀ କ୍ଵାଟରରେ ଅନେକ ଅଧିକାରୀ ରହି ଆସୁଥିଲେ ହେଁ କେବେ ଏହାର ପାଚେରିର ଉଚ୍ଛତା ବୃଦ୍ଧି ଆବଶ୍ୟକ ହୋଇ ନଥିବା ବେଳେ ବର୍ତ୍ତମାନ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ୟ ଏକ କ୍ଵାଟରରେ ରହିଥିଲେ ହେଁ ହଟାତ ଏହି ନିର୍ମାଣ ଓ ପାଚେରିର ଉଚତା ବୃଦ୍ଧି କାର୍ଯ୍ୟ କାହିଁକି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ କେବଳ ପାଚେରି ଉଚ୍ଚତା ନୁହେ ବରଂ ଏହି ବଡ ବଡ ପାଚେରି ଉପରେ ସୁରକ୍ଷାକୁ ଆହୁରି ଅଧିକ କରିବା ପାଇଁ କାନ୍ଥ ଉପରେ ପୁଣି ଗୋଲେଇ ଲୁହା ତାର ବୁଲିବା ପାଇଁ ବ୍ୟବସ୍ଥା କରାଯାଇଛି। ବାହାରୁ ଦେଖିଲେ ଲାଗୁଛି କେହି ଜଣେ ପୁଲିସ ର ବରିଷ୍ଠ ଅଧିକାରୀ କିମ୍ବା ଗୁଇନ୍ଦା ଅଧିକାରୀ ଏଠାରେ ବସବାସ କରୁଥିବେ। ତେବେ ଅଧିକ ବୁଝିବା ପରେ ଜଣା ପଡିଲା, ଆଇଟିଡିଏର କେହି ଜଣେ କନିଷ୍ଠ ଯନ୍ତ୍ରୀ ଏଠାରେ ବସବାସ କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର୍ ଟି କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ କେମିତି ଆଲଟ୍ ହେଲା। ଯଦି ହେଲା ତେବେ କ୍ବାର୍ଟରଟିକୁ ଏମିତି ଦୁର୍ଗିକରଣ କରିବାର କାରଣ କଣ। କ୍ବାର୍ଟର୍ କାନ୍ଥ ଉଚ୍ଚତା ତିନି ତିନି ଥର ବଢା ଯିବାର ଆବଶ୍ୟକତା କଣ ରହିଛିବୋଲି ପ୍ରଶ୍ନ ଉଠିଛି। ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କେମିତି ସରକରୀ ଅଧିକାରୀ ବର୍ଗର କ୍ବାର୍ଟର୍ ଆଲଟ ହେଲା ଏବଂ କିଏ କ୍ବାର୍ଟର୍ ଦୁର୍ଗିକରଣ କରିବାର ଅନୁମତି ଦେଲା ତାହାକୁ ନେଇ ସ୍ରୁଷ୍ଟି ହୋଇଥିବା ପ୍ରଶ୍ନକୁ ନେଇ ଆମେ ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ପିଏଆଇଟିଡିଏ ହଳଧର ଶବରଙ୍କୁ ଯୋଗାଯୋଗ କରିଥିଲୁ। ଏନେଇ ସେ ପ୍ରକାଶ କରିଛନ୍ତି ଯେ, ଏହି କ୍ଵାଟର ଆଲଟ ସେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ହୋଇଛି। କିଏ ଏହା କରିଛି ତାହାକୁ ଯାଞ୍ଚ କରିବି। ତେବେ ପାଚେରି ବୃଦ୍ଧି ବିଷୟରେ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ, ଅଞ୍ଚଳରେ ଅସମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବେଶି ହେଉଥିବାରୁ ଏପରି କରାଯାଇଛି। ଏହି ଅଞ୍ଚଳରେ ଅନେକ କ୍ଵାଟର ରହିଥିବା ବେଳେ ଏହି କ୍ଵାଟର ର ସୁରକ୍ଷା ବ୍ୟବସ୍ତା ଉପରେ ହଟାତ ଏତେ ଗୁରୁତ୍ଵ କାହିଁକି ଦିଆଗଲା, ଓ କିପରି ସରକାରୀ ଅର୍ଥକୁ ଖର୍ଚ କରାଯାଉଛି ତାହାକୁ ନେଇ ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।