ରଥ ନିର୍ମାଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଦେବଗଡ଼, ତା ୨୬/୦୩/୨୦୨୬ ରିଖ :-
ଦେବଗଡ଼ ପୁରୁଣାଗଡ଼ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଆସନ୍ତା ରଥଯାତ୍ରା ନିମନ୍ତେ ନୂତନ ରଥ ନିର୍ମାଣ ପାଇଁ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକରେ ରଥ ନିର୍ମାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରାଯାଇଥିଲା।
ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ନୂତନ ରଥ ନିର୍ମାଣ ପାଇଁ ନୟାଗଡ଼ରୁ ପାରମ୍ପରିକ ମହାରଣା (ବଢ଼େଇ)ମାନଙ୍କୁ ଆମନ୍ତ୍ରଣ କରାଯିବ। ଏହା ସହିତ ରଥ ନିର୍ମାଣ ଓ ପରିଚାଳନାକୁ ସୁଚାରୁ ଭାବେ କାର୍ଯ୍ୟରତ କରିବା ପାଇଁ ଦୁଇଟି କମିଟି—ରଥ ପରିଚାଳନା କମିଟି ଓ ଅର୍ଥ କମିଟି—ଗଠନ କରାଯାଇଛି।
ରଥ ପରିଚାଳନା କମିଟିରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ, ସୁଧୀର କପରଦାର, ଟିକେଶ୍ୱର ଗୁରୁ, ପ୍ରଣବ କିଶୋର ଗୁରୁ, ମାନସ ରଞ୍ଜନ ଦ୍ୱିବେଦୀ ଆଦି ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅର୍ଥ କମିଟିରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ସହିତ କୌଶିକ କୁମାର ପ୍ରଧାନ, ପ୍ରଜିତ କୁମାର ଭୋଜ, ମନୋଜ ପାଢ଼ୀ, ଦିଲୀପ ଗୁରୁ, ଅଶୋକ ନନ୍ଦ ଓ ସୁଶୀଲ କୁମାର ଦାସ ମନୋନୀତ ହୋଇଛନ୍ତି।
ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା, ଆକାଶ ଦାସ, ସୁମିତ୍ରା ପୁରୋହିତ, ମିତ୍ରଭାନୁ ମହାପାତ୍ର ସହ ଅନ୍ୟାନ୍ୟ ଅଧିକାରୀ, ଆଇନଜୀବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।
ବୈଠକରେ ରଥ ନିର୍ମାଣ କାର୍ଯ୍ୟକୁ ସମୟମଧ୍ୟରେ ସମାପ୍ତ କରିବା ସହିତ ରଥଯାତ୍ରାକୁ ଶୃଙ୍ଖଳାବଦ୍ଧ ଓ ସଫଳ ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ସମନ୍ୱୟରେ କାମ କରିବାକୁ ଆହ୍ୱାନ କରାଯାଇଥିଲା।