ଗୋବିନ୍ଦପୁର ଉ.ପ୍ରା. ବିଦ୍ୟାଳୟରେ ଆବର୍ଜନାରୁ ମୂଲ୍ୟବାନ ସମ୍ପଦ ପ୍ରସ୍ତୁତି ଶିବିର ଉଦ୍ଯାପିତ।
ଗୋବିନ୍ଦପୁର ଉ.ପ୍ରା. ବିଦ୍ୟାଳୟରେ ଆବର୍ଜନାରୁ ମୂଲ୍ୟବାନ ସମ୍ପଦ ପ୍ରସ୍ତୁତି ଶିବିର ଉଦ୍ଯାପିତ।
କେନ୍ଦୁଝର,ତା୨୫/୦୩- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ପରିବେଶୀୟ ଶିକ୍ଷା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆବର୍ଜନାରୁ ମୂଲ୍ୟବାନ ବସ୍ତୁ ପ୍ରସ୍ତୁତି ଶିବିର ଉଦ୍ଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଘରୋଇ ଆବର୍ଜନାରୁ ପ୍ରସ୍ତୁତ ମୂଲ୍ୟବାନ୍ ବସ୍ତୁ ଆମର ଏକ ଅମୂଲ୍ୟ ସମ୍ପଦ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶୈକ୍ଷିକ ସଂଯୋଜକ ମାନସ ରଞ୍ଜନ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦୀର୍ଘ ତିନି ମାସ ଧରି ହୋଇଥିବା ଆବର୍ଜନାରୁ ମୂଲ୍ୟବାନ ବସ୍ତୁ ପ୍ରସ୍ତୁତି ଶିବିରର ଉଦ୍ଦେଶ୍ୟ ମହତ୍ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନା ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଇକୋ କ୍ଳବ୍ ଶିକ୍ଷକ ବିଜୟ କୁମାର ମିଶ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆବର୍ଜନାର ସୁପରିଚାଳନା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେ । ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ତିନି ମାସ ଧରି ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜ ଘରୁ ବିଭିନ୍ନ ଆବର୍ଜନା ସଂଗ୍ରହ କରି ପୃଥକ୍ କରି ଭିନ୍ନ ଭିନ୍ନ ମୂଲ୍ୟବାନ୍ ଜିନିଷ ପ୍ରସ୍ତୁତ କରୁଥିଲେ । ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଫୁଲଦାନି, ପେନ୍ ଷ୍ଟାଣ୍ଡ , ବିଭିନ୍ନ ପ୍ରକାରର ଖେଳନା , କଣ୍ଢେଇ , ଫୋଟ ଫ୍ରେମ୍ , ପେପର୍ ବ୍ୟାଗ୍ , କାଗଜ ଠୁଙ୍ଗା , କପଡ଼ା ମ୍ୟାଟ୍ , ଥଳି , ପୁରୁଣା ଟାୟାର ରୁ ଗଛ କୁଣ୍ଡ , ଚେୟାର , ବିଭିନ୍ନ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ , ଜୈବ ଆବର୍ଜନାରୁ କମ୍ପୋଷ୍ଟ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଆବର୍ଜନା ସୁପରିଚାଳନା ନିମନ୍ତେ ବିଭିନ୍ନ ସମୟରେ ଶ୍ରେଣୀ ଶିକ୍ଷାଦାନ ପ୍ରଦାନ କରାଯାଇଛି ବୋଲି ଶିକ୍ଷୟିତ୍ରୀ ରଞ୍ଜିତା ରାଣୀ ମଲ୍ଲିକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ନାୟକ , ଶୁଭଶ୍ରୀ ରାଉତ୍ , ଶୁଭଶ୍ରୀ ମହାନ୍ତ ଓ ଶୁଭଲକ୍ଷ୍ମୀ ସାହୁ ସହଯୋଗ କରିଥିଲେ । ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଦସ୍ୟା , ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହିବା ସହିତ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।