ପ୍ରଧାନ ମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନାରେ ବୁଣାକାରଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ବରଗଡ଼, ଆଜି ସୋହେଲା ବ୍ଲକ ଅନ୍ତର୍ଗତ ଗୋଠ, ଛୁରିଆପାଲି ଓ ସାଧୁପାଲି ଏବଂ ବିଜେପୁର ବ୍ଲକ ରଙ୍ଗମାଟିଆ ଓ ବିଜେପୁର ସ୍ଥିତ ହସ୍ତତନ୍ତ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା (ପିଏମ-ଏଜେୱାଇ)ର ହାଇବ୍ରିଡ୍ ପ୍ରକଳ୍ପ ଅଧୀନରେ ବରଗଡ଼ ଜିଲ୍ଲାର ଅନୁସୂଚିତ ଜାତି (ଏସ୍ସି) ବୁଣକମାନଙ୍କ ପାଇଁ ଡୋବି ଓ ଜାଳା ବୁଣା କୌଶଳର ବିକାଶ ନିମନ୍ତେ ୬୦ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ହସ୍ତତନ୍ତୁ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ବୁଣକମାନଙ୍କୁ ସଂଗଠିତ କରିବା ଏବଂ ବର୍ତ୍ତମାନ ଆବଶ୍ୟକତାକୁ ଦୃଷ୍ଠିରେ ରଖି ନୂତନ କୌଶଳ ଗୁଡିକୁ ଶିଖାଇବା ସହ ଡୋବି ଓ ଜାଲା ପରି ଆଧୁନିକ ବୁଣା ପ୍ରଯୁକ୍ତିରେ ତାଙ୍କର ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପାରମ୍ପରିକ ବୁଣା କୌଶଳକୁ ସୁଦୃଢ଼ କରି ଆଧୁନିକ ଡିଜାଇନ ଓ ଉତ୍ପାଦନ ପ୍ରଣାଳୀକୁ ଏକତ୍ର କରି ଉତ୍ପାଦନ କ୍ଷମତା ଓ ଆୟ ବୃଦ୍ଧି କରିବା ।
ସୂଚନା ଯୋଗ୍ୟକି, ଏହି ଦକ୍ଷତା ବିକାଶ ତାଲିମ ଶିବିରରେ ଆଗାମୀ ୬ ମାସ ମଧ୍ୟରେ ଜିଲ୍ଲାର ସର୍ବମୋଟ ୩୦୦ ଜଣ ଅନୁସୂଚିତ ଜାତି ବୁଣାକାରଙ୍କୁ ୩ଟି ପର୍ଯ୍ୟାୟରେ ଦକ୍ଷ ସାଧନ କର୍ମୀଙ୍କ ଦ୍ଵାରା ତାଲିମ ଦିଆଯିବ । ତାଲିମ ସମୟରେ ପ୍ରଶିକ୍ଷଣ କାଳୀନ ପ୍ରତି ଶିକ୍ଷାର୍ଥୀ ତଥା ବୁଣାକାରଙ୍କୁ ଦୈନିକ ₹୨୦୦ ଟଙ୍କା ହିସାବରେ ଜଣଙ୍କୁ ୬୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହ ଟ୍ରେନିଂରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀଙ୍କୁ ନିଜ ଉଦ୍ୟୋଗର ବିକାଶ ନିମନ୍ତେ ୫୦ ପ୍ରତିଶତ ସବସିଡ଼ିରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ଯାଙ୍କ ଲୋନ ଯୋଗାଇ ଦିଆଯିବ ।
ଯୁଗ୍ମ ନିର୍ଦ୍ଧେଶକ ଶ୍ରୀ ଦେବଜିତ ନନ୍ଦୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଏଫଡିସି ମେମ୍ବର ରାଜକୁମାର ମହାନନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିଡିଓ ସୋହେଲା ଏବଂ ଜିଲ୍ଲା ଶ୍ରମ ଅଧିକାରିଣୀଙ୍କ ସମେତ ହସ୍ତତନ୍ତୁ, ବୟନ ଓ ହସ୍ତଶିଳ୍ପ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରି ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନକୁ ହି ସୁଯୋଗର ସର୍ବୋତ୍ତମ ବ୍ୟବହାର କରିବାକୁ ଉତ୍ସାହିତ କରିବା ସହ ଏହି ପଦକ୍ଷେପ ବରଗଡ଼ ଜିଲ୍ଲାର ଅନୁସୂଚିତ ଜାତିର ବୁଣକମାନଙ୍କ ସାମାଜିକ-ଆର୍ଥିକ ଉନ୍ନତି ଓ ଅଞ୍ଚଳର ସମୃଦ୍ଧ ହସ୍ତତନ୍ତୁ ପାରମ୍ପରିକତାର ପ୍ରଚାର-ପ୍ରସାରରେ ଏକ ମାର୍କପ୍ରଦ ପଦକ୍ଷେପ ଭାବେ ପରିଗଣିତ ହେବ ବୋଲି ନିଜର ମତପ୍ରକାଶ କରିଥିଲେ ।